ସେଇ ୩୦ ମିନିଟ୍‌ର ଆଲୋଚନା, ଖପ୍ପା ଥିଲେ ଦିଦି ଫୋନ କଲେ ରାହୁଲ

ନୂଆଦିଲ୍ଲୀ: ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ପୂର୍ବରୁ ବିବାଦ ଦେଖିବାକୁ ମିଳିଛି  । ବାଚସ୍ପତି ପଦ ପାଇଁ ଇଣ୍ଡିଆ ଆଲାଏନ୍ସର କେ ସୁରେଶଙ୍କୁ ମଇଦାନକୁ ଓହ୍ଲାଇ ମୋଦି ସରକାରଙ୍କୁ ଚ୍ୟାଲେଞ୍ଜ ଦେଇଛି କଂଗ୍ରେସ  । ଲୋକସଭା ବାଚସ୍ପତି ନିର୍ବାଚନ ମୋଦି ସରକାରଙ୍କ ପାଇଁ ପ୍ରଥମ ଅଗ୍ନିପରୀକ୍ଷା ହେବାକୁ ଯାଉଛି  । ଏନଡିଏକୁ ଟକ୍କର ଦେବା ପାଇଁ ଅଣ୍ଟା ଭିଡିଛି ଇଣ୍ଡିଆ ମେଣ୍ଟ  । ବିରୋଧୀ ସାଂସଦ ମାନେ ସୁରେଶଙ୍କୁ ସମର୍ଥନ ଦେବା ପାଇଁ ସମସ୍ତ ପ୍ରୟାସ ଚଳାଇଛି କଂଗ୍ରେସ । ସେପଟେ ଇଣ୍ଡିଆ ମେଣ୍ଟ ଉପରେ ଖପ୍ପା ଥିବା ଜାଣିପାରି ଟିଏମସି ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଫୋନ କରିଛନ୍ତି ରାହୁଲ  ।

କଂଗ୍ରେସ ବାଚସ୍ପତି ପଦ ପାଇଁ କେ ସୁରେଶଙ୍କ ନାଁ ଘୋଷଣା କରିବା ପରେ ମମତା ବାନାର୍ଜୀଙ୍କ ଟିଏମସି ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲା  । ଟିଏମସି ଅଭିଯୋଗ କରିଥିଲା ଯେ ବିରୋଧୀ ଦଳ ବାଚସ୍ପତି ପଦ ପାଇଁ ତାଙ୍କ ମତାମତ ନେଇ ନଥିଲେ  । ଏହି କାରଣରୁ ଟିଏମସି ସମର୍ଥନ ପତ୍ରରେ ସାଇନ୍‌ କରିନଥିଲା । ଟିଏମସି ଅଭିଯୋଗ କରିଥିଲା ଯେ କଂଗ୍ରେସ ନିଜ ଇଚ୍ଛାରେ କେ ସୁରେଶଙ୍କ ନାଁ ଘୋଷଣା କରିଛି  । ସଂଖ୍ୟା ବଳ ଦେଖିଲେ ଇଣ୍ଡିଆ ମେଣ୍ଟକୁ ମମତାଙ୍କ ସମର୍ଥନ ନିହାତି ଆବଶ୍ୟକ  । ଏଭଳି କ୍ଷେତ୍ରରେ ରାହୁଲ ଗାନ୍ଧୀ ମମତା ବାନାର୍ଜୀଙ୍କ ଅସନ୍ତୋଷ ଦୂର କରିବା ପାଇଁ ପ୍ରୟାସ କରିଛନ୍ତି  ।

ରାହୁଲ ଓ ମମତାଙ୍କ ମଧ୍ୟରେ ପ୍ରାୟ ଅଧଘଣ୍ଟା ଧରି ଫୋନରେ ଆଲୋଚନା ହୋଇଥିଲା  । ଏହି ଆଲୋଚନା ମଧ୍ୟରେ ବାଚସ୍ପତି ନିର୍ବାଚନ ପ୍ରସଙ୍ଗ ମଧ୍ୟ ଉଠିଛି  । କେ ସୁରେଶଙ୍କ ନାମାଙ୍କନ ବିଷୟରେ ପୂର୍ବରୁ ଟିଏମସିକୁ ଜଣାଇ ନଥିବାରୁ ମମତାଙ୍କୁ କ୍ଷମା ମାଗିଛନ୍ତି ରାହୁଲ  । ଏହା ପରେ ମମତା ବାନାର୍ଜୀ ରାଗ ନିୟନ୍ତ୍ରଣ କରିବା ସହ ଦୁଇ ଜଣ ଟିଏମସିର ବରିଷ୍ଠ ନେତାଙ୍କୁ ପଠାଇବା ପାଇଁ ନିର୍ଣ୍ଣୟ କରିଛନ୍ତି  । ଏହା ପୂର୍ବରୁ ରାହୁଲ ଲୋକସଭାରେ ଅଭିଷେକ ବାନାର୍ଜୀଙ୍କ ସହ ବି ଆଲୋଚନା କରିଥିଲେ  । ଶୁଣିବାକୁ ମିଳୁଛି ଯେ ମମତାଙ୍କ ଟିଏମସି ଇଣ୍ଡିଆ ମେଣ୍ଟ କୁ ସମର୍ଥନ ଦେବେ  ।