କଂଗ୍ରେସର ହାତ ଛାଡିଲେ ଲାଲୁ, କହିଲେ ମମତା ନିଅନ୍ତୁ ଇଣ୍ଡି ମେଣ୍ଟର ନେତୃତ୍ବ
ପାଟନା: ଇଣ୍ଡିଆ ମେଣ୍ଟ ନେତୃତ୍ବକୁ ନେଇ ପରସ୍ପର ମଧ୍ୟରେ ବିବାଦ ଲାଗି ରହିଛି । ଏହାରି ମଧ୍ୟରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇଣ୍ଡିଆ ମେଣ୍ଟ ନେତୃତ୍ବ ଦାବିକୁ ସମର୍ଥନ ଦେଇଛନ୍ତି । ଏହା ସହ କଂଗ୍ରେସକୁ ପରାମର୍ଶ ଦେଇ ଦଳର ଅଭିଯୋଗକୁ ଭିତ୍ତିହୀନ କହିଛନ୍ତି ।
ପାଟନାରେ ଲାଲୁ କହିଛନ୍ତି ‘‘କଂଗ୍ରେସ ଅଭିଯୋଗର କୌଣସି ଅର୍ଥ ନାହିଁ । ଆମେ ମମତା ବାନାର୍ଜୀଙ୍କୁ ସମର୍ଥନ ଦେଉଛୁ । ମମତା ବାନାର୍ଜୀଙ୍କୁ ଇଣ୍ଡି ମେଣ୍ଟର ନେତୃତ୍ବ ଦେବା ଉଚିତ । ଆମେ ୨୦୨୫ରେ ପୁଣି ଥରେ ସରକାର କରିବୁ’’ ।
ଏହା ପୂର୍ବରୁ ଆରଜେଡି ନେତା ତେଜସ୍ବୀ ଯାଦବ ଗଣମାଧ୍ୟମକୁ କହିଥିଲେ ଯେ ଏହି ପ୍ରସଙ୍ଗରେ ଏଯାଏଁ କୌଣସି ଆଲୋଚନା ହୋଇନାହିଁ । ମେଣ୍ଟର ବରିଷ୍ଠ ନେତା ଏକାଠି ବସିଲେ ଏହି ପ୍ରସଙ୍ଗରେ ଆଲୋଚନା କରିବେ । ମେଣ୍ଟ ଚଳାଇବା ପାଇଁ ବରିଷ୍ଠ ନେତାଙ୍କ ନାମରେ କେହି ଆପତ୍ତି ଉଠାଇବେ ନାହିଁ ବୋଲି ତେଜସ୍ବୀ କହିଥିଲେ ।
ଇଣ୍ଡି ମେଣ୍ଟ ଭିତରେ ରାହୁଲ ଗାନ୍ଧୀଙ୍କ ନେତୃତ୍ବକୁ ନେଇ ସନ୍ଦେହ କରାଯାଉଛି । ଲୋକସଭା ନିର୍ବାଚନ ବେଳେ କଂଗ୍ରେସ ସ୍ଥିତିରେ ସୁଧାର ଆସି ମେଣ୍ଟ ଦଳ ବିଜେପିକୁ କଡା ଟକ୍କର ଦେଇଥିଲା । କିନ୍ତୁ ହରିୟାଣା ଓ ମହାରାଷ୍ଟ୍ର ନିର୍ବାଚନରେ ରାହୁଲ ଗାନ୍ଧୀଙ୍କ ଯାଦୁ ଚାଲି ପାରିନଥିଲା । ଯାହା ପରେ ଇଣ୍ଡିଆ ମେଣ୍ଟ ନେତୃତ୍ବରେ ପ୍ରଶ୍ନ ଉଠିଥିଲା । ମମତା ବାନାର୍ଜୀଙ୍କ ବୟାନ ପରେ ଅଧିକାଶ ସହଯୋଗୀ ଦଳ ତାଙ୍କୁ ସମର୍ଥନ ଦେଇଥିଲେ ।
ନିକଟରେ ଇଣ୍ଡିଆ ମେଣ୍ଟରେ ନିଜ ଭୂମିକା ନେଇ ମମତା ବାନାର୍ଜୀ କହିଥିଲେ ଯେ ତାଙ୍କୁ ସୁଯୋଗ ମିଳିଲେ ସେ ନିଶ୍ଚିତ ସୂଚାରୁ ରୂପେ ସଞ୍ଚାଳନ କରିବେ ।