ଜମୁଛି ଏଆଇସିସି ସଭାପତି ନିର୍ବାଚନ ପ୍ରଚାର, ଆଜି ଓଡ଼ିଶା ଆସିବେ ପ୍ରାର୍ଥୀ ମଲ୍ଲିକାର୍ଜ୍ଜୁନ ଖଡଗେ

ଭୁବନେଶ୍ୱର: ଜମୁଛି ଏଆଇସିସି ସଭାପତି ନିର୍ବାଚନ ପ୍ରଚାର । ଆଜି ଓଡ଼ିଶା ଆସିବେ ପ୍ରମୁଖ ପ୍ରାର୍ଥୀ ମଲ୍ଲିକାର୍ଜ୍ଜୁନ ଖଡଗେ । ଅପରାହ୍ଣ ୨ଟାରେ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀରେ ଖଡଗେ ଯୋଗଦେବେ । ସେପଟେ ଦୁଇ ହେଭିଓ୍ୱେଟ ସାରା ଦେଶରେ ଜାରି ରଖିଛନ୍ତି ପ୍ରଚାର ଅଭିଯାନ । ଖାଡଗେଙ୍କ ପଲା ଭାରିଥିବା ବେଳେ ଏକ ବୃହତ ପରିବର୍ତ୍ତନ ଆଣିବା ଲାଗି ମଇଦାନରେ ଜୋରଦାର ଅଭିଯାନ ଚଳାଇଛନ୍ତି ଶଶୀ । ଖଡଗେ କହିଛନ୍ତି, ଦଳକୁ ଶକ୍ତିଶାଳୀ କରିବା ଲାଗି ସେ ଉଦ୍ୟମ କରିବେ । ତାଙ୍କୁ ପ୍ରାର୍ଥୀ କରିବା ମୂଳରେ ବହୁ ସମର୍ଥକ ରହିଛନ୍ତି । ତେଣେ ଥରୁର କହିଛନ୍ତି ସେ ଇତି ମଧ୍ୟରେ କିଛି ରାଜ୍ୟ ଗସ୍ତ କରିଛନ୍ତି । ଆହୁରି କିଛି ରାଜ୍ୟ ବି ସେ ଗସ୍ତ କରିବେ ।

ସେପଟେ ଦଳର ବରିଷ୍ଠ ନେତା ମନୀଷ ତିଓ୍ୱାରି କହିଛନ୍ତି ନିର୍ବାଚନରେ ଖଡଗେଙ୍କ ବିଜୟ ଆଶା ଉଜ୍ଜ୍ୱଳ । ସେ ଦୀର୍ଘ ୫୦ ବର୍ଷ ଧରି ରାଜନୀତିରେ ରହିଛନ୍ତି ଏବଂ ତାଙ୍କ ପ୍ରତି ଦଳର ବହୁ ନେତା ଓ କର୍ମୀଙ୍କ ସମର୍ଥନ ରହିଛି । ଆସନ୍ତା ୧୬ରେ ପ୍ରଚାର ଅଭିଯାନ ଶେଷ ହେବା ପରେ ୧୭ରେ ସମସ୍ତ ରାଜ୍ୟରେ ହେବ ଭୋଟ । ୧୯ରେ ଆସିବ ଫଳାଫଳ ।