ମ୍ୟାଲେରିଆ ମୁକ୍ତ ହେବ ମାଲକାନଗିରି, ଏଥିପାଇଁ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଖସଡ଼ା

ମାଲକାନାଗିରି: ସାରା ରାଜ୍ୟରେ ଏବେ କରୋନା ସହ ଲଢେଇ ଜାରି ରହିଛି । ହେଲେ ମାଲକାନଗିରିରେ କରୋନା ସହିତ ମ୍ୟାଲେରିଆ ଲୋକଙ୍କୁ ଆତଙ୍କିତ କରିଛି । ଏବେ କିନ୍ତୁ ମ୍ୟାଲେରିଆ ମୁକ୍ତ ହେବ ମାଲକାନଗିରି । ଜିଲ୍ଲାରୁ ସମ୍ପୂର୍ଣ୍ଣ ଲୋପ ପାଇବେ ମ୍ୟାଲେରିଆ ମଶା । ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ ହୋଇଛି । ସଚେତନ କରୁଛନ୍ତି ଏଏନଏମ ଓ ଆଶା ଦିଦି । ରାଜ୍ୟରେ ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଭାବେ ପରିଚିତ ମାଲକାନଗିରି ଜିଲ୍ଲା ।

ଜିଲ୍ଲା ମୋଟ ଜନସଂଖ୍ୟାର ୬୧ ପ୍ରତିଶତ ଅନୁସୂଚିତ ଜନଜାତି ହୋଇଥିବାରୁ ଚିକିତ୍ସା ପାଇଁ ଅନ୍ଧବିଶ୍ୱାସରେ ବସବର୍ତ୍ତି ହୋଇ ଗୁଣିଗାରେଡ଼ି ଓ କ୍ୱାକ୍ ଉପରେ ଭରଷା କରିଥାନ୍ତି । ଆଉ ମ୍ୟାଲେରିଆ ଭଳି ରୋଗରେ ଆକ୍ରାନ୍ତ ହୋଇ ଜୀବନ ହାରୁଛନ୍ତି । ହେଲେ ଏବେ ମାଲକାନଗିରିକୁ ମ୍ୟାଲେରିଆ ମୁକ୍ତ କରିବା ପାଇଁ ଜିଲ୍ଲା ପ୍ରଶାସନ ତତ୍ପର ହୋଇଛି । ଏନେଇ ସ୍ୱତନ୍ତ୍ର ଖସଡ଼ା ପ୍ରସ୍ତୁତ କରାଯାଇଥିବା ବେଳେ ସ୍ୱାସ୍ଥ୍ୟକର୍ମୀଙ୍କ ଠାରୁ ଆରମ୍ଭ କରି ଏଏନଏମ ଓ ଆଶା ଦିଦି ଲୋକଙ୍କୁ ମ୍ୟାଲେରିଆରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ କରୁଛନ୍ତି ।

ସରକାରଙ୍କ ସ୍ୱତନ୍ତ୍ର ଖସଡ଼ା କାର୍ଯ୍ୟକ୍ରମ ଅନୁଯାୟୀ, ୭ଟି ବ୍ଲକରେ ୧୪ ଜଣ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି । ଆଉ ଏହି ସ୍ୱାସ୍ଥ୍ୟକର୍ମୀମାନେ ସଚେତନ କରିବା ସହ ଅତ୍ୟାଧୁନିକ ରାପିଡ୍ ଟେଷ୍ଟ କିଟରେ ଲୋକଙ୍କର ପରୀକ୍ଷା ମଧ୍ୟ କରୁଛନ୍ତି । ଫଳରେ ମାର୍ଚ୍ଚ ମାସରେ ୩୪ ପ୍ରତିଶତ ଲୋକ ମଶାରୀ ବ୍ୟବହାର କରୁଥିବା ବେଳେ ସଚେତନତା ପରେ ଏହା ୮୪ ପ୍ରତିଶତକୁ ବୃଦ୍ଧି ପାଇଛି । ଫଳ ସୂରୁପ ଜୁନ ମାସରୁ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ତେବେ ଡିସେମ୍ବର ମାସ ସୁଦ୍ଧା ଜିଲ୍ଲା ସମ୍ପୂର୍ଣ୍ଣ ମ୍ୟାଲେରିଆ ମୁକ୍ତ ହେବା ବୋଲି ଜିଲ୍ଲା ଅଧିକାରୀ କହିଛନ୍ତି । ମାଲକାନଗିରି ଜିଲ୍ଲାକୁ ମ୍ୟାଲେରିଆ ମୁକ୍ତ କରିବାରେ ଜିଲ୍ଲା ପ୍ରଶାସନ ଏହି ଉଦ୍ୟମ ଅନ୍ୟ ଜିଲ୍ଲା ପାଇଁ ଉଦାହରଣ ସୃଷ୍ଟି କରିବ ।

Leave a Reply