spot_img

Latest Posts

ସେୟାର ମାର୍କେଟ ନାଁରେ ୮୦ ଲକ୍ଷ ଟଙ୍କା ଠକେଇ ଘଟଣା, ଆସାମରୁ ଜଣେ ଗିରଫ

ନନ୍ଦିଘୋଷ ବ୍ୟୁରୋ : ମାଲକାନଗିରିର ଜଣେ ବ୍ୟବସାୟୀଙ୍କ ଠାରୁ ୮୦ ଲକ୍ଷ ଟଙ୍କା ଠକେଇ ଘଟଣା । ଆସାମରୁ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ମାଲକାନଗିରି ଆଦର୍ଶ ଥାନା ପୋଲିସ । ମାଲକାନଗିରି ସହର ତଳସାହିର ଜିତେନ୍ଦ୍ର ପାତ୍ର ଗତ ସେପ୍ଟେମ୍ବର ମାସ ୪ ତାରିଖରେ ମାଲକାନଗିରି ଥାନାରେ ଏକ ଅଭିଯୋଗ କରିଥିଲେ । ଅଭିଯୋଗ ମୁତାବକ ୨୦୧୭ ମସିହାରେ ବରଗଡ ଜିଲ୍ଲା ଭିଏସଏସ ନଗର ଗାଁର ଦେବଜିତ ତ୍ରିପାଠୀ ଜିତେନ୍ଦ୍ର ପାତ୍ରଙ୍କ ଦୋକାନକୁ ଆସିଥିଲେ । ଦେବଜିତ ତ୍ରିପାଠୀ ମାଲକାନଗିରିରେ କମଡିଟି ଟ୍ରେଡିଙ୍ଗ ନାମକ ସଂସ୍ଥା ଖୋଲିଥିବା ନେଇ କହିଥିଲେ ।

ଏହା ସହ ଟ୍ରେଡିଙ୍ଗରେ ଟଙ୍କା ରଖିଲେ ତିନିମାସରେ ୨୦ ପ୍ରତିଶତ ଟଙ୍କା ଅଧିକ ମିଳିବ ବୋଲି ମଧ୍ୟ କହିଥିଲେ। ତାଙ୍କ କଥାକୁ ବିଶ୍ୱାସ କରି କିଛି ଟଙ୍କା ରଖିବା ପରେ ତିନିମାସ ପରେ ୨୦ ପ୍ରତିଶତ ଅଧିକ ଟଙ୍କା ଫେରସ୍ତ ପାଇଥିଲେ ଜିତେନ୍ଦ୍ର । ପରେ ବିଭିନ୍ନ ଆକାଉଣ୍ଟ ମାଧ୍ୟମରେ ୮୦ ଲକ୍ଷ ଟଙ୍କା ରଖିଥିଲେ । ହେଲେ ତିନି ମାସ ପରେ ଟଙ୍କା ଆଉ ଫେରସ୍ତ ପାଇନଥିଲେ । ପରେ ଖୋଜିଲା ବେଳକୁ ଦେବଜିତ ମାଲକାନଗିରିରୁ ଫେରାର ହୋଇ ଯାଇଥିଲେ । ଏନେଇ ମାଲକାନଗିରି ଥାନାରେ ଏତଲା ଦେଇଥିଲେ ଜିତେନ୍ଦ୍ର । ଅଭିଯୁକ୍ତକୁ ମାଲକାନଗିରି ପୋଲିସ ଆସାମରୁ ଗିରଫ କରିବାରେ ସଫଳ ହୋଇଛି । ତାଙ୍କ ନାମରେ ମାଲକାନଗିରି ଥାନାରେ ମୋଟ ୫ଟି ମାମଲା ହୋଇଛି । ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ । ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ମାଲକାନଗିରି ଥାନା ଅଧିକାରୀ କହିଛନ୍ତି ।

Latest Posts

Don't Miss