ବିଜେଡିରେ ମିଶିଲେ ମାଲକାନଗିରି ଜିଲ୍ଲା ବିଜେପି ସାଧାରଣ ସମ୍ପାଦକଙ୍କ ସହ ଏକାଧିକ କର୍ମୀ

ଭୁବନେଶ୍ୱର : ଜନତାଙ୍କର ଅଧିକରୁ ଅଧିକ ଆସ୍ଥାଭାଜନ ହୋଇପାରିଛି ବିଜୁ ଜନତା ଦଳ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁଶାସନ ଓ ସ୍ବଚ୍ଛ ଭାବମୂର୍ତ୍ତି ଲୋକଙ୍କୁ କରୁଛି ଆକୃଷ୍ଟ  । ଏବେ ଅନ୍ୟଦଳ ଛାଡି ବିଜେଡିରେ ସାମିଲ ହେଉଛନ୍ତି ନେତା  ଓ କର୍ମୀ । ଆଜି ମାଲକାନଗିରି ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ଶେଖର ସାହୁ, କାଲିମେଳା ବ୍ଲକର ପଶୁଗୁଡ଼ା ପଞ୍ଚାୟତର ପୂର୍ବତନ ସରପଞ୍ଚ ରାମ ରବା ଏବଂ ବାଲିମେଳାର ବିଜେପି ସଦସ୍ୟ ଏନ୍‌. ଦାଶରଥି ଆଜି ଶଙ୍ଖଭବନରେ ବିଜେଡିରେ ସାମିଲ ହୋଇଛନ୍ତି  । ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ତଥା ରାଜ୍ୟସଭା ସାଂସଦ  ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି ସମସ୍ତ ନେତା ।

ସମସ୍ତଙ୍କୁ ଉପଢୌକନ ନେଇ ଦଳକୁ ସ୍ବାଗତ କରିଥିଲେ ସାଂସଦ ମାନସ ମଙ୍ଗରାଜ  । ସେପଟେ ଏନେଇ ଦଳର ସଭାପତି ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ସମସ୍ତ ନେତା  । ଏହି ମିଶ୍ରଣ ପର୍ବରେ ମାଲକାନଗିରି ଜିଲ୍ଲା ବିଜେଡ଼ି ସଭାପତି ମାନସ ମାଡ଼କାମୀ, ପ୍ରକାଶ ମହାନ୍ତି, ବିଜେଡ଼ି ମୁଖପାତ୍ର ଅମିତ ମଲ୍ଲିକ ଏବଂ ମାଲକାନଗିରି ଜିଲ୍ଲା ମହିଳା ବିଜେଡ଼ି ପର୍ଯ୍ୟବେକ୍ଷକ ଲୋରା ମହାପାତ୍ର ଉପସ୍ଥିତ ଥିଲେ ।