spot_img

Latest Posts

ମୁଣ୍ଡ ବିହୀନ ଶବକୁ ନେଇ ଜଳୁଛି ମାଲକାନଗିରି..

ମାଲକାନଗିରି : ଜଳୁଛି ମାଲକାନଗିରି। ନିଆଁରେ ଦଗ୍ଧ ହେଉଛି ଘର ଓ ଗାଡ଼ି। ଦୁଇଦିନ ହେଲାଣି  ଦୁଇଗୋଷ୍ଠୀ ମୁହାଁମୁହିଁ। ମୁଣ୍ଡ ବିହୀନ ଶବକୁ ନେଇ ମହାଭାରତ । ନିୟନ୍ତ୍ରଣକୁ ଆସୁନି ରାଖାଲଗୁଡା ଓ ଏମଭି ୨୬ ଗାଁ ମଧ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନା। ପ୍ରାଣ ହରାଇଥିବା ମହିଳା ଲାକେ ପଡ଼ିଆମିଙ୍କ କଟାମୁଣ୍ଡ କୁଆଡ଼େ ଗଲା? ଧନୁତୀର, ଫାର୍ସା ଓ ପାରମ୍ପରିକ ଅସ୍ତ୍ରସନ୍ତ୍ର ଧରି ରକ୍ତମୁଖା ଆଦିବାସୀ। ମୁହାଁମୁହିଁ ସ୍ଥିତିରେ ଉଭୟ ଗାଁ ଲୋକେ। ସୋମବାର ଦେଖିବାକୁ ମିଳିଲା ହିଂସାକାଣ୍ଡର ଜଘନ୍ଯ ଦୃଶ୍ଯ। ପୋଲିସ ଉପସ୍ଥିତିରେ ଜଳିଲା ଘର, ଗାଡ଼ି ସମେତ ଦୋକାନ ବଜାର। ଘଟଣାକୁ ୪ ଦିନ ବିତିଥିଲେ ମଧ୍ଯ ପରିସ୍ଥିତିରେ ଆସୁନି ସୁଧାର । ନାକେଦମ ହେଲେଣି ସ୍ଥାନୀୟ ପ୍ରଶାସନ ଓ ପୋଲିସ । ଉତ୍ତ୍ୟକ୍ତ ଲୋକଙ୍କୁ ହଟାଇବା ପାଇଁ ଟିଅର ଗ୍ୟାସ ପ୍ରୟୋଗ କରାଯାଇଛି । ମାଲକାନଗିରି ଜିଲ୍ଲାରେ ୨୪ ଘଣ୍ଟା ଯାଏଁ ଇଣ୍ଟରନେଟ ସେବା ବନ୍ଦ । ଲୋକଙ୍କ ଗତିବିଧି ଉପରେ ନଜର ରଖିବା ସହ ଗାଡ଼ି ମୋଟର ଯାଞ୍ଚ କରାଯାଉଛି। ଘଟଣାର ସମୀକ୍ଷ କରିଛନ୍ତି କୋରାପୁଟ ଆଇଜି। ପୋଟେରୁ ନଦୀର ଜଳ ନିଷ୍କାସନ ବନ୍ଦ କରି ମୃତ ମହିଳାଙ୍କ ମୁଣ୍ଡ ଖୋଜୁଛି ଓଡ୍ରାଫ ଟିମ। ଆଜି ଏମଭି ୨୬ ଗ୍ରାମରେ ଶତାଧିକ ଲୋକ ପହଁଚି ପୁଣି ଭଙ୍ଗା ରୁଜା କରିଛନ୍ତି । କେତେକଙ୍କ ଘର ପୋଡ଼ି ଦେଇଥିଲେ ଦୁର୍ବୃତ୍ତ। ଏହାକୁ ନେଇ ଦୁଇ ଗାଁ ମୁହାଁମୁହିଁ ହୋଇଛନ୍ତି । ଖାଲିସେତିକି ନୁହେଁ ୬ରୁ ୭ ହଜାର ଆଦିବାସୀ ପାରମ୍ପରିକ ଅସ୍ତ୍ର ଧରି ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିବାକୁ ବି ପଛାଇନାହାନ୍ତି।

ଘଟଣାକୁ ବିତିଲାଣି ୪ ଦିନ । ହେଲେ ରାଜ୍ୟ ସରକାରଙ୍କ ପାଖରେ ଏନେଇ ଖବର ନାହିଁ । ଏଭଳି ଅଭିଯୋଗ ଆଣି ବିଧାନସଭା ଶୂନ୍ଯକାଳରେ ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସର ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ। ସରକାର ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ଗୃହରେ ସେ ଅଭିଯୋଗ କରିଛନ୍ତି। ବଙ୍ଗାଳୀ ଓ ଆଦିବାସୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଜାରି ରହିଛି । ତାକୁ କାହିଁକି ହାଲୁକା ଭାବରେ ପୋଲିସ ନେଉଛି ? ଘଟଣା ପୂର୍ବରୁ କାହିଁକି ଚୁପ୍ ବସିଥିଲା ପୋଲିସ ? ମାଲକାନଗିରିର ଆଇନଶୃଙ୍ଖଳା ପ୍ରତି ମୁଖ୍ୟମନ୍ତ୍ରୀ ଧ୍ୟାନ ଦିଅନ୍ତୁ ବୋଲି କଂଗ୍ରେସ ବିଧାୟକ ମଙ୍ଗୁ ଖିଲ ଦାବି କରିଛନ୍ତି । ସେପଟେ କଂଗ୍ରେସ ବିଧାୟକଙ୍କୁ ସମର୍ଥନ କରି ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, ରାଜ୍ୟ ସରକାର ନିଘୋଡ଼ ନିଦ୍ରାରେ ଶୋଇଛନ୍ତି । ମାଲକାନଗିରି ଅଘଟଣ ବିଷୟରେ ଗୃହ ବିଭାଗ ଜାଣି ନପାରିବା ଦୁର୍ଭାଗ୍ୟଜନକ  ବୋଲି ପ୍ରତାପ ଦେବ ଅଭିଯୋଗ କରିଥିଲେ। ସେପଟେ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ପ୍ରଦୀପ ମାଝୀ ଘଟଣାସ୍ଥଳରେ ପହଞ୍ଚି ଉତ୍ଯକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସରକାର ଓ ପ୍ରଶାସନ ଅପାରଗତା ଦାୟୀ କରିଛନ୍ତି। ୪ ଦିନ ଆଗରୁ ଗାଁର ଜଣେ ମହିଳାଙ୍କର ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହୋଇଥିଲା। ଏହାକୁ ନେଇ ସୃଷ୍ଟି ହୋଇଥିଲା ଲଙ୍କାକାଣ୍ଡ। ଏଯାଏ ମୁଣ୍ଡ ମିଳିନି। ମୃତକ ଜଣକ ହେଲେ ରାଖାଲଗୁଡ଼ା ଗାଁର ଲାକେ ପଡ଼ିଆମି । ଘଟଣାକୁ ନେଇ ଦୁଇ ଗାଁ ମୁହାଁମୁହିଁ ହୋଇଛନ୍ତି ।

Latest Posts

Don't Miss