ଦୁଇ ଦିନର ନବଜାତ ଶିଶୁ ପୁତ୍ରକୁ ବିକ୍ରି କରାଯାଉଥିବା ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ: ମାଲକାନଗିରି ଜିଲ୍ଲାରେ ଶିଶୁ ବିକ୍ରି ଅଭିଯୋଗ । ମାତ୍ର ଦୁଇ ଦିନର ନବଜାତ ଶିଶୁ ପୁତ୍ରକୁ ବିକ୍ରି କରୁଥିବା ବେଳେ ଉଭୟ ମାଆ ଓ ଶିଶୁକୁ ସୁରକ୍ଷିତ ଉଦ୍ଧାର କରିଛି ଜିଲ୍ଲା ଶିଶୁ ସୁରକ୍ଷା କମିଟି । ଖୈରପୁଟ ବ୍ଳକ ଅନ୍ତର୍ଗତ ଦୁମାଲିଗୁଡା ଗାଁର ସବିତା ବାଟେଙ୍କ ପୂର୍ବରୁ ଦୁଇଟି କନ୍ୟା ସନ୍ତାନ ଥିବା ବେଳେ ଗତ ଦୁଇ ଦିନ ତଳେ ଆଉ ଏକ ପୁତ୍ର ସନ୍ତାନ ଜନ୍ମ ଦେଲେଥିଲେ । ହେଲେ ସବିତା ପୁଣି ଥରେ ମାଆ ହେବା ନେଇ ସ୍ବାସ୍ଥ୍ୟ ବିଭାଗ ପାଖରେ କୌଣସି ସୁଚନା ନାହିଁ । ଗର୍ଭବତୀ ହେବା ପରେ ଜଣେ ସଂପର୍କୀୟଙ୍କ ଘରେ ଆସି ତିନି ମାସ ରହିଥିଲେ ସବିତା । ଦୁଇ ଦିନ ତଳେ ସେଠାରେ ହି ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ହେଲେ ସ୍ବାମି ତାଙ୍କୁ ଆଉ ଗ୍ରହଣ କରୁନଥିବା ବେଳେ ତିନି ସନ୍ତାନକୁ କେମିତି ପାଳିବେ ଭାବି ଏକ ସ୍ବେଚ୍ଛାସେବୀ ସଂସ୍ଥାର ରୋଷେୟା ସଞ୍ଜୁକ୍ତା ପାଳଙ୍କ ସହ ଆଲୋଚନା କରିବା ପରେ ଖୈରପୁଟର ଏକ ଦମ୍ପତିଙ୍କୁ ପୁତ୍ର ସନ୍ତାନ ବିକ୍ରି କରିବା ଲାଗି ସ୍ଥିର କରିଥିଲେ । ହେଲେ ଟଙ୍କା ଲେଣ ଦେଣ ଚାଲିଥିବା ବେଳେ ଘଟଣାର ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା କମିଟି ସେଠାରେ ପହଞ୍ଚି ଉଭୟ ମାଆ ଓ ଶିଶୁ କୁ ଉଦ୍ଧାର କରିଥିଲେ । ଘଟଣା ସଂପର୍କରେ ମାଥିଲି ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟ ପଟେ ମାଆ ଓ ଶିଶୁକୁ ସ୍ବଧାର ଗୃହରେ ରଖାଯାଇ ସେମାନଙ୍କ ଚିକିତ୍ସା କରାଯାଉଛି ।