ମାଲକାନଗିରିରେ ବର୍ଷାର ତାଣ୍ଡବ, ଆଜି ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ

ମାଲକାନଗିରି : ବେହାଲ ମାଲକାନଗିରି । ଲଗାଣ ବର୍ଷାର ତାଣ୍ଡବରେ ଭାସୁଛି ମାଲକାନଗିରି ଜିଲ୍ଲା । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଆଜି ବନ୍ଦ ରଖାଯାଇଛି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର । ଛୁଟି ନେଇ ଘୋଷଣା କରିଥିଲେ ଜିଲ୍ଲାପାଳ। ମାଲକାନଗିରି ଦେଇ ଯାଇଥିବା ଜାତୀୟ ରାଜପଥରେ ଜମିଛି ପାଣି। ରାସ୍ତାରେ ପାଣି ଜମିଥିବାରୁ ଯାତାୟାତରେ ସମସ୍ୟା ଉପୁଜିବା ସହ ବିଭିନ୍ନ ଦୋକାନ ଓ ଘରେ ପଶିଲା ପାଣି । ବର୍ଷା ଲାଗି ରହିଥିବା ବେଳେ ୩୨୬ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନରେ ପାଣି ଜମିଛି । ସଦର ଏସପି ଅଫିସ ଓ ମୁଖ୍ୟ ଚିକିତ୍ସାଳୟ ନିକଟରେ ରାସ୍ତା ଉପରେ ପ୍ରାୟ ୩ଫୁଟରୁ ଅଧିକ ପାଣି ଜମିଛି ।

ମୋଟର ସାଇକେଲ ଓ ଛୋଟ ଗାଡି ଯିବା ଆସିବା କଷ୍ଟକର ହୋଇପଡିଛି । ମୁଖ୍ୟ ଚିକିତ୍ସାଳୟ ନିକଟରେ ଥିବା ବିଭିନ୍ନ ଦୋକାନ ଏବଂ ଘର ମଧ୍ୟରେ ପାଣି ପଶି ବ୍ୟାପକ ସାମଗ୍ରୀ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଏପରି ସ୍ଥିତି ଉପୁଜିଥିବାବେଳେ ଦୋକାନୀ ଓ ସ୍ଥାନୀୟ ଲୋକେ ନିଜ ଦୋକାନ ଏବଂ ଘରୁ ପାଣି ବାହାର କରିବାରେ ଲାଗିପଡିଛନ୍ତି। ପ୍ରଶାସନ ପକ୍ଷରୁ ମଧ୍ୟ ପାଣି ବାହାର କରିବା ପାଇଁ ପଦକ୍ଷେପ ନିଆଯାଉଥିବା ଦେଖିବାକୁ ମିଳିଛି।