ମାଳଦ୍ବୀପକୁ ଅନେକ ଫ୍ଲାଇଟ୍ ଏବଂ ହୋଟେଲ୍ ବୁକିଂ କ୍ୟାନସଲ୍

1 min read

ନନ୍ଦିଘଷୋଷ ବ୍ୟୁରୋ: ମାଳଦ୍ବୀପ ମନ୍ତ୍ରୀଙ୍କ ବିବାଦୀୟ ବୟାନକୁ ନେଇ ଥମୁନି ଝଡ଼। ସୋସିଆଲ୍ ମିଡିଆରେ କମେଣ୍ଟ ପରେ ଭାରତରେ ତୀବ୍ର ପ୍ରତିକ୍ରିୟା । ମାଳଦ୍ବୀପକୁ ଅନେକ ଫ୍ଲାଇଟ୍ ଏବଂ ହୋଟେଲ୍ ବୁକିଂ କ୍ୟାନସଲ୍ । ୧୦,୫୦୦ରୁ ଅଧିକ ହୋଟେଲ୍ ବୁକିଂ କ୍ୟାନସଲ୍ କରିଛନ୍ତି ଭାରତୀୟ । ୫୫୦୦ରୁ ଅଧିକ ଫ୍ଲାଇଟ୍ ଟିକେଟ୍ ମଧ୍ୟ ବାତିଲ୍ ହୋଇଛି । ମାଳଦ୍ବୀପର ପ୍ରମୁଖ ଆୟ ପର୍ଯ୍ୟଟନରୁ ହିଁ ଆସିଥାଏ । ଏବେସୁଦ୍ଧା ଗତ ୩ ଦିନରେ ୧୦୦ କୋଟି ଟଙ୍କାର କ୍ଷତି ହେଲାଣି । ଏକାଧିକ ଟ୍ରାଭେଲ୍ କଂପାନୀ ସେମାନଙ୍କର ପ୍ୟାକେଜ୍ ବାତିଲ କରିଛନ୍ତି । ସୋସିଆଲ୍ ମିଡିଆରେ ଟ୍ରେଣ୍ଡ ହେଉଛି #BoycottMaldives । ମାଳଦ୍ବୀପ ହୋଟେଲ ଆସୋସିଏସନ୍ ପକ୍ଷରୁ ମେକ୍ ମାଇଁ ଟ୍ରିପକୁ ଲେଖାଯାଇଛି ଚିଠି ।

ସୂଚନା ଥାଉକି, ଭାରତ ବିରୋଧୀ ଟିପ୍ପଣୀ ପଡ଼ିଲା ମହଙ୍ଗା। ମାଳଦ୍ବୀପର ୩ ମନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି ମାଳଦ୍ବୀପର ମୁଇଜୁ ସରକାର। ସୋସିଆଲ ମିଡିଆରେ ଭାରତ ବିରୋଧୀ ମନ୍ତବ୍ୟ ଦେଇଥିଲେ ମାଳଦ୍ବୀପର ୩ ମନ୍ତ୍ରୀ ମରିୟମ ଶିଉନା, ମାଲଶା ସରିଫ ଏବଂ ମହଜୁମ ମାଜିଦ । ଭାରତ ବିରୋଧରେ ଅଶାଳୀନ ଭାଷା ପ୍ରୟୋଗ କରିଥିବାରୁ ରାଷ୍ଟ୍ରପତି ମୁଇଜୁଙ୍କ ସରକାର ୩ ମନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି।ମାଳଦ୍ବୀପର ୩ ମନ୍ତ୍ରୀ ଦେଇଥିବା ଅଶାଳୀନ ଟିପ୍ପଣୀ ତାଙ୍କର ବ୍ୟକ୍ତିଗତ ବୋଲି କହିଛି ମାଳଦ୍ବୀପ। ମାଳଦ୍ବୀପ ବୈଦେଶିକ ମନ୍ତ୍ରୀ ମୂଜା ଜମିର କହିଛନ୍ତି- ବିଦେଶୀ ନେତାଙ୍କ ସମ୍ପର୍କରେ କୌଣସି ଅଶୋଭନୀୟ ଟିପ୍ପଣୀ ଅଗ୍ରହଣୀୟ । ଏହି ମନ୍ତବ୍ୟ ଦ୍ବିପାକ୍ଷିକ ସମ୍ପର୍କକୁ ପ୍ରଭାବିତ କରିବ ନାହିଁ ।

ଭାରତ ପ୍ରଧାନମନ୍ତ୍ରୀ ଲାକ୍ଷାଦ୍ବୀପ ଗସ୍ତ ସମୟର ଅନୁଭବ ସୋସିଆଲ ମିଡିଆ ଏକ୍ସରେ ପ୍ରକାଶ କରିଥିଲେ। ଲାକ୍ଷାଦ୍ବୀପର ପର୍ଯ୍ୟଟନସ୍ଥଳୀର ଉଚ୍ଚ ପ୍ରଶଂସା କରିବା ସହ ସେଠାରେ ସ୍ମୋର୍କଲିଂ କରିଥିଲେ। ଏହି ପୋଷ୍ଟକୁ ନେଇ ଅନେକ ୟୁଜର୍ସ ଲକ୍ଷାଦ୍ବୀପକୁ ମାଳଦ୍ବୀପର ବିକଳ୍ପ ପର୍ଯ୍ୟଟନସ୍ଥଳୀ ଭାବେ ଦର୍ଶାଇଥିଲେ । ଏହାପରେ ମାଳଦ୍ବୀପ ସରକାରଙ୍କ ନେତାଙ୍କ ପକ୍ଷରୁ ଆପତ୍ତିଜନକ ଟିପ୍ପଣୀ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା। ମାଳଦ୍ବୀପରେ ସରକାର ଗଠନ କରିଥିବା ପ୍ରୋଗ୍ରେସିଭ ପାର୍ଟି ଅଫ୍ ମାଳଦ୍ବୀପ ପିପିଏମ୍ ନେତାମାନେ ଆପତ୍ତିଜନକ ଟିପ୍ପଣୀ ଦେଇଥିଲେ । ଏହାପରେ ଭାରତ ପକ୍ଷରୁ ଟିପ୍ପଣୀକୁ ନେଇ କଡ଼ା ବିରୋଧ ପ୍ରକାଶ ପାଇଥିଲା। ଅନେକ ପର୍ଯ୍ୟଟକ ମାଳଦ୍ବୀପ ବୁଲି ଯିବାକୁ ଥିବା ହୋଟେଲ ଏବଂ ଫ୍ଲାଇଟ୍ ବୁକିଂ କ୍ୟାନସଲ କରିଥିଲେ ।

ଅନେକ ବଲିଉଡ ଅଭିନେତା ଏବଂ କ୍ରିକେଟର ଟୁଇଟ କରି ଏହି ବିବାଦୀୟ ବୟାନର ଘୋର ନିନ୍ଦା କରିଛନ୍ତି। ଅନ୍ୟପଟେ ପ୍ରସଙ୍ଗକୁ ନେଇ ମାଲଦ୍ବୀପର ରାଷ୍ଟ୍ରଦୂତଙ୍କୁ ସମନ କରିଛି ଭାରତୀୟ ବୈଦେଶିକ ବିଭାଗ। ଭାରତରେ ଅବସ୍ଥାପିତ ମାଳଦ୍ବୀପ ରାଷ୍ଟ୍ରଦୂତ ଇବ୍ରାହିମ ସରିଫଙ୍କୁ ସମନ କରିବା ସହ ଜବାବ ରଖିବାକୁ କହିଛି ଭାରତୀୟ ବୈଦଶିକ ବିଭାଗ। ତେଣେ ମାଳଦ୍ବୀପ ସହ ବ୍ୟାବସାୟିକ ସମ୍ପର୍କ ଛିନ୍ନ ଲାଗି ଆହ୍ବାନ ଜଣାଇଛି କନଫେଡେରେସନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ । ସେହିପରି ମାଳଦ୍ବୀପକୁ ବର୍ଜନ କରିବା ଲାଗି ଇଣ୍ଡିଆନ ଚାମ୍ବର ଅଫ କମର୍ସର ବିମାନ ଚଳାଚଳ ଓ ପର୍ଯ୍ୟଟନ କମିଟି ଟ୍ରାଭେଲ ଏଜେନ୍ସିଗୁଡିକୁ ଆହ୍ବାନ ଦେଇଛି ।