ବିବାଦ ମଧ୍ୟରେ ମାଳଦ୍ବୀପ ରାଷ୍ଟ୍ରପତିଙ୍କ ଚୀନ ଗସ୍ତ, ବିଭିନ୍ନ ପ୍ରସଙ୍ଗରେ କରିବେ ଆଲୋଚନା

ନନ୍ଦିଘୋଷ ବ୍ୟୁରୋ: ଭାରତ ସହ ବିବାଦ ମଧ୍ୟରେ ମାଳଦ୍ବୀପ ରାଷ୍ଟ୍ରପତିଙ୍କ ଚୀନ ଗସ୍ତ । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ ପ୍ରତିପକ୍ଷ ମହମ୍ମଦ ମୁଇଜୁ । ଆସନ୍ତା ୧୨ ତାରିଖ ଯାଏ ବେଜିଂ ଗସ୍ତରେ ଥିବା ମୁଇଜୁ ଓ ଜିନପିଙ୍ଗଙ୍ଗ ମଧ୍ୟରେ ବିଭିନ୍ନ ରାଜିନାମା ସ୍ବାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ଗତବର୍ଷ ନଭେମ୍ବରରେ କ୍ଷମତାକୁ ଆସିବା ପରେ ମୁଇଜୁଙ୍କ ଏହା ହେବ ପ୍ରଥମ ଚୀନ ଗସ୍ତ ।

ମୁଇଜୁଙ୍କୁ ଚୀନ ପ୍ରଧାନମନ୍ତ୍ରୀ ଲି କ୍ବିଙ୍ଗ ଓ ଅନ୍ୟ ନେତା ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ମାଳଦ୍ବୀପର ଅଷ୍ଟମ ରାଷ୍ଟ୍ରପତି ଭାବେ ଦାୟିତ୍ବ ନେଇଥିବା ମୁଇଜୁ ଜଣେ ଚୀନ ସପକ୍ଷବାଦୀ ନେତା । ଭାରତ ସପକ୍ଷବାଦୀ ଇବ୍ରାହିମ ମହମ୍ମଦ ସୁଲିଙ୍କୁ ପରାସ୍ତ କରି ମୁଇଜୁ ହୋଇଥିଲେ ରାଷ୍ଟ୍ରପତି । ୨୦୧୪ରେ ମାଳଦ୍ବୀପକୁ ଗସ୍ତ କରିଥିଲେ ଜିନପିଙ୍ଗ । ସେତେବେଳେ ଦୁଇ ଦେଶ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ରାଜିନାମା ସ୍ବାକ୍ଷରିତ ହୋଇଥିଲା । ପ୍ରୋଗ୍ରେସିଭ ପାର୍ଟି ଅଫ ମାଲଡିଭିସ ଓ ପିପୁଲ୍ସ ନ୍ୟାସନାଲ କଂଗ୍ରେସ ମେଣ୍ଟ ପକ୍ଷରୁ ମୁଇଜୁ ହୋଇଛନ୍ତି ନିର୍ବାଚିତ । ଏହି ମେଣ୍ଟ ଚୀନର ସମର୍ଥକ ।