ପ୍ରଶାସନିକ କଳର ଅବହେଳା ଓ ଦାୟିତ୍ବହୀନତା ଯୋଗୁଁ କଣାସରେ ନିୟନ୍ତ୍ରଣକୁ ଆସୁନି ହଇଜା
କଣାସ: ନିୟନ୍ତ୍ରଣକୁ ଆସୁନି ହଇଜା । ପ୍ରଶାସନିକ କଳର ଅବହେଳା ଓ ଦାୟିତ୍ବହୀନତା ଯୋଗୁଁ ହଇଜାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବହୁ ସଂଖ୍ୟାରେ ଲୋକ ଆକ୍ରାନ୍ତ ହୋଇଛନ୍ତି । ସ୍ଥାସ୍ଥ୍ୟ ଅଧିକାରୀଙ୍କ ଘନଘନ ଗସ୍ତ ସତ୍ତ୍ବେ ଗତକାଲି ମଧ୍ୟ ଆଉ ୧୫ ଜଣ ଆକ୍ରାନ୍ତ ହୋଇଛନ୍ତି । କଣାସରେ ଏବେ ଟ୍ରିପଲ ଇଂଜିନ ସରକାର, ଅର୍ଥାତ ବିଧାୟକ, ସାଂସଦ ଓ ସରକାର ସବୁଠି ବିଜେପି । ଅଥଚ ୨୦୨୫ ମସିହାରେ ହଇଜାରେ ଲୋକେ ମୃତ୍ୟୁବରଣ କରିବା ଦୁର୍ଭାଗ୍ୟଜନକ । ପ୍ରଭାବିତ ଅଞ୍ଚଳ ଗସ୍ତ କରି ବିଜେଡି ଓ କଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ ଟିମ ଏନେଇ ସରକାରଙ୍କୁ ଭର୍ତ୍ସନା କରିଛନ୍ତି ।
କଣାସ ବ୍ଲକରେ ହଇଜା ନିଦ ହଜାଇଛି । ପୁଣି ଥରେ ହଇଜାରେ ଆକ୍ରାନ୍ତ ହୋଇଛନ୍ତି ୧୫ ଜଣ । ଅସୁସ୍ଥମାନେ କଣାସ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଆକ୍ରାନ୍ତମାନେ ହେଉଛନ୍ତି ଦୟା ଓ ମକରା ନଦୀ କୂଳିଆ ଗ୍ରାମର । କଣାସରେ ହଇଜା ନିୟନ୍ତ୍ରଣ କରିବାରେ ସରକାର ଫେଲ ମାରିଥିବା ବେଳେ ଗ୍ରାଉଣ୍ଡ ଜିରୋରେ ପହଁଚିଛନ୍ତି ବିଜେଡି ଟିମ । ବିଧାୟକ ଅରୁଣ ସାହୁ, ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ ଓ ବିଜେଡି ନେତା ସଂଜୟ ଦାସବର୍ମା ପ୍ରଭାବିତ ଅଞ୍ଚଳରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଛନ୍ତି । ହଇଜାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାରକୁ ବି ଭେଟିଛନ୍ତି । ଦୟା ନଦୀ ଜଳ ବିଷ ହୋଇ ସାରିଥିବା ବେଳେ ସରକାର ଏଦିଗରେ କୌଣସି ପଦକ୍ଷେପ ନେଇପାରୁନାହଁନ୍ତି । ସେପଟେ ଦୟା, ରାଜୁଆ ପାଣି ଚିଲିକାରେ ମିଶି ଏହି ଜୈବ ବିବିଧତାକୁ ମଧ୍ୟ ପ୍ରଭାବିତ କରିବାର ଆଶଙ୍କା ରହିଛି । କଣାସରେ ଟ୍ରିପଲ ଇଂଜିନ ସରକାର ଚାଲିଛି, ଅଥଚ ୨୦୨୫ରେ ଲୋକେ ହଇଜାରେ ମୃତ୍ୟୁବରଣ କରିବା ଦୁର୍ଭାଗ୍ୟଜନକ ।
ଗତକାଲି ମଧ୍ୟ ପିସିସିର ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ କଣାସ ବ୍ଲକର ହଇଜା ପ୍ରଭାବିତ ଅଂଚଳ ଗସ୍ତ କରିଥିଲେ । ସ୍ଥିତି ଅନୁଧ୍ୟାନ ପରେ ଏହାକୁ ମହାମାରୀ ବୋଲି ଘୋଷଣା କରିବାକୁ ଦାବି କରାଯାଇଛି । ମୃତକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରିଛି କଂଗ୍ରେସ । ସେହିଭଳି ପ୍ରଭାବିତଙ୍କ ସମସ୍ତ ଖର୍ଚ୍ଚ ସରକାର ବହନ କରନ୍ତୁ ଏବଂ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ କରିବାକୁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା । ହଇଜାରେ ଲୋକ ମରିବା ଲାଗି ସ୍ଥାନୀୟ ପ୍ରଶାସନ ଦାୟୀ ବୋଲି ଅଭିଯୋଗ କରି କଂଗ୍ରେସ ଗଡିଶାଗୋଦା ଥାନାରେ ମାମଲା ଦାଏର କରିଛି ।
କଣାସରେ ଚାରି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରତିଦିନ ଲୋକେ ହଇଜାରେ ଆକ୍ରାନ୍ତ ହେଉଛନ୍ତି । ଅଥଚ ସେଠାକୁ ସ୍ବାସ୍ଥ୍ୟମନ୍ତ୍ରୀ କି ମୁଖ୍ୟମନ୍ତ୍ରୀ ଏଯାଏଁ ନଯିବା କ୍ଷତିଗ୍ରସ୍ତ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି ।