CHSEର ବଡ଼ ନିଷ୍ପତ୍ତି: ମାଲ ପ୍ରାକ୍ଟିସ ଛାତ୍ରଛାତ୍ରୀଙ୍କୁ ମିଳିବ ବଡ଼ ଆଶ୍ବସ୍ତି

ଭୁବନେଶ୍ବର: ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ଆରମ୍ଭ ପୂର୍ବରୁ ସିଏଚଏସଇର ବଡ଼ ନିଷ୍ପତ୍ତି । ଏଥର ମାଲ ପ୍ରାକ୍ଟିସ ବା ଏମପିରେ ବୁକ ହୋଇଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ବଡ଼ ଆସ୍ୱସ୍ତି । ତ୍ରୁଟିପୂର୍ଣ୍ଣ ଭାବେ ଏମପିରେ ବୁକ ହୋଇଥିବା ପରୀକ୍ଷାର୍ଥୀଙ୍କ ପରୀକ୍ଷା ଫଳ ସାଧାରଣ ପରୀକ୍ଷାର୍ଥୀଙ୍କ ସହ ଏକାସାଙ୍ଗରେ ପ୍ରକାଶ ପାଇବ । କାଉନସିଲ ଦ୍ୱାରା ଗଠିତ ସ୍ୱତନ୍ତ୍ର କମିଟିର ଯାଞ୍ଚରେ ଏମପିରେ ବୁକ ହୋଇଥିବା ଛାତ୍ରଛାତ୍ରୀ ନିଜର ପକ୍ଷ ରଖିବେ। ଯଦି ସେମାନେ ତ୍ରୁଟିପୂର୍ଣ୍ଣ ବୁକ ହୋଇଥିବେ ତାହେଲେ ସେମାନଙ୍କ ପରୀକ୍ଷା ଫଳ ସ୍ୱାଭାବିକ ଭାବେ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡା।
ଚଳିତ ବର୍ଷ ଠାରୁ ଏହି ନୂଆ ନିୟମ ଲାଗୁ ହେବ। ପୂର୍ବରୁ ଭୁଲରେ ଏମପିରେ ବୁକ ହେଉଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ସାଧାରଣ ପିଲାଙ୍କ ପରୀକ୍ଷା ଫଳ ବାହାରିବାର ତିନି ମାସ ପରେ ବାହାରୁଥିଲା। ଯେଉଁଥିପାଇଁ ପିଲାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଆସନ୍ତା ଏପ୍ରିଲ ଦୁଇ ତାରିଖରେ ଆରମ୍ଭ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷା ଖାତା ଦେଖା ପାଇଁ ବଢ଼ିଲା ମୁଲ୍ୟାଙ୍କନ କେନ୍ଦ୍ର ସଂଖ୍ୟା । ଯେଉଁ ଜିଲ୍ଲାରେ କେନ୍ଦ୍ର ନ ଥିଲା ସେଠି ନୂଆକରି ଖୋଲିଲା କେନ୍ଦ୍ର । ଉଭୟ ଅନଲାଇନ ଓ ଅଫଲାଇନ ପରୀକ୍ଷା କେନ୍ଦ୍ର ସଂଖ୍ୟା ବଢାଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଅତ୍ୟଧିକ ଖରା ଯୋଗୁ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖିବାକୁ ଆସୁ ନ ଥିବାରୁ ଖାତା ଦେଖା କେନ୍ଦ୍ର ବଢାଯାଇଥିବା କୁହାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ୮ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଖାତା ଦେଖା ପାଇଁ ନିଯୁକ୍ତି ହୋଇଛନ୍ତି । ଏକଜାମିନରଙ୍କ ସୁବିଧା ଦୃଷ୍ଟିରୁ ସେମାନଙ୍କୁ ନିଜ ଜିଲ୍ଲାରେ ହୋଇଥିବା ମୁଲ୍ୟାଙ୍କନ କେନ୍ଦ୍ରରେ ଖାତା ଦେଖିବା ପାଇଁ ନିୟୋଜିତ କରାଯାଇଛି । ୩୫, ୪୦ ଓ ୫୦ ମାର୍କ ଥିବା ବିଷୟ ଗୁଡିକ ପାଇଁ ୩୦ ଟି ଖାତା ୫ ଘଣ୍ଟାରେ ଦେଖାଯାଇ ପାରିବ । ସେହିପରି ୭୦ ଓ ୮୦ ମାର୍କ ଥିବା ବିଷୟ ପାଇଁ ୫ ଘଣ୍ଟାରେ ୨୦ ଟି ଖାତା ଦେଖିପାରିବେ । ମେ ୧୫ ତାରିଖ ସୁଦ୍ଧା ସଠିକ ସମୟରେ ପରୀକ୍ଷାଫଳ ବାହାରିବ ବୋଲି ସୂଚନା ଦେଇଛନ୍ତି ପରୀକ୍ଷା ନିୟନ୍ତ୍ରକ ।