ମୋଦିଙ୍କୁ ଚିଠି ଲେଖିଲେ ବରୁଣ; କହିଲେ, ମୃତ କୃଷକଙ୍କ ପରିବାର ପିଛା କୋଟିଏ ଟଙ୍କା ଲେଖାଏଁ ଦିଅ

1 min read

ନୂଆଦିଲ୍ଲୀ: ଶୁକ୍ରବାର ଭାରତ ପାଇଁ ଥିଲା ଏକ ବଡ଼ ଦିନ । ଦୀର୍ଘ ଦିନ ଧରି କୃଷି ଆଇନିକୁ ବିରୋଧ କରି ଚାଷୀ ସଂଗଠନମାନେ ଆନ୍ଦୋଳନ ଜାରୀ ରଖିଥିଲେ । ଏହି ଆନ୍ଦୋଳନରେ ପ୍ରାୟ ୭୦୦ରୁ ଅଧିକ ଚାଷୀ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି । ତେବେ ଏହି କୃଷି ଆଇନିକୁ ପ୍ରତ୍ୟାହାର କରିବା ପାଇଁ ଗତକାଲି ନିଷ୍ପତି ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ଦେଶବାସୀଙ୍କୁ ସମ୍ବୋଧନ କରିବା ସମୟରେ ଏହି ଆଇନି ପ୍ରତ୍ୟାହାର କରାଯିବ ବୋଲି କହିଥିଲେ ମୋଦି । ତେବେ ମୋଦିଙ୍କ ଏହି ବୟାନ ପରେ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇସାରିଛି । ତେବେ ଅନ୍ୟଦଳରୁ କୃଷି ଆନ୍ଦୋଳନକୁ ନେଇ ଅନ୍ୟ ଦଳରୁ ବିରୋଧର ସ୍ବର ଉଠୁଥିଲା । କିନ୍ତୁ ଏବେ ଚାଷୀ ଆନ୍ଦୋଳନ ଓ ଲକ୍ଷ୍ମୀପୁର ଖେରୀ ଘଟଣାକୁ ନେଇ ମୋଦିଙ୍କୁ ଚିଠି ଲେଖିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ । ଅନ୍ୟ ଦଳରୁ ବିରୋଧର ସ୍ବର ଉଠୁଥିଲା କିନ୍ତୁ ଏବେ ନିଜ ଦଳରୁ ଉଠିଛି ବିରୋଧର ସ୍ବର ।

ବରୁଣ ଗାନ୍ଧୀ ଆଜି ମୋଦିଙ୍କୁ ଲେଖିଥିବା ଏହି ଚିଠିରେ ତିନୋଟି ଘଟଣାକୁ ନେଇ ମୋଦିଙ୍କୁ ଚିଠି ଲେଖିଛନ୍ତି । ଏହି ଚିଠିରେ ସେ ଲେଖିଛନ୍ତି କି କୃଷି ଆଇନି ପ୍ରତ୍ୟାହାର ନିଷ୍ପତି ଯଦି ପୂର୍ବରୁ ନିଆଯାଇଥାନ୍ତା ତେବେ ଏହି ଆନ୍ଦୋଳନରେ ୭୦୦ରୁ ଅଧିକ ଚାଷୀ ମୃତ୍ୟୁ ବରଣ କରିନଥାନ୍ତେ । ଆଉ ଏବେ ଯେଉଁ ୭୦୦ରୁ ଅଧିକ ଚାଷୀ ଦେଶର ବିଭିନ୍ନ ପ୍ରାନ୍ତରେ ମୃତ୍ୟୁ ବରଣ କରିଛନ୍ତି ସେମାନଙ୍କ ପରିବାରକୁ ଏକ କୋଟି ଲେଖାଏଁ ସହାୟତା ରାଶି ପ୍ରଦାନ କରନ୍ତୁ ।

ଏହା ବ୍ୟତୀତ ବରୁଣ ଆହୁରି ଲେଖିଛନ୍ତି କି ତୁରନ୍ତ ଲକ୍ଷ୍ମୀପୁର ଖେରୀ ମାମଲାରେ କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । କାହିଁକି ନା ଲକ୍ଷ୍ମୀପୁର ଖେରୀରେ ଚାଷୀମାନେ ଆନ୍ଦୋଳନ କରୁଥିବା ସମୟରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା କାର କିଛି ଚାଷୀଙ୍କ ଉପରେ ଚଢ଼ାଇ ଦେଇଥିଲେ । ତେଣୁ ଏହି ମାମଲାରେ ତୁରନ୍ତୁ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ବରୁଣ ଗାନ୍ଧୀ ଚିଠିରେ ଉଲ୍ଲେଖ କରିଛନ୍ତି ।  ସେ ଆହୁରି ମଧ୍ୟ କହିଛନ୍ତି କି କୃଷକ ମାନଙ୍କ ପାଇଁ ଏମଏସପିର ଏକ ସ୍ବତନ୍ତ୍ର ଆଇନି ଆଣନ୍ତୁ । କାହିଁକି ନା ଆମ ଦେଶରେ ପ୍ରାୟ ୮୫ ପ୍ରତିଶତ କ୍ଷୁଦ୍ର ଚାଷୀ । ତେଣୁ ସେମାନଙ୍କୁ ସଶକ୍ତିକରଣ କରିବା ପାଇଁ ଏମଏସପି ଉପରେ ଏକ ଆଇନି ଆଣିବା ନିହାତି ଦରକାର । ଏହି ଦାବି ସମ୍ପୂର୍ଣ୍ଣ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଶେଷ ହେବ ନାହିଁ । ଆଉ ଯଦି ଏମଏସପି ଆଇନି ଲାଗୁ କରାଯାଏ ନାହିଁ ତେବେ କୃଷକମାନେ ଅସନ୍ତୁଷ୍ଟ ରହିବେ। ତେଣୁ କୃଷି ମୂଲ୍ୟ ଆୟୋଗର C2=50% ଆଧାରରେ ଏମଏସପି ଆସିବା ଦରକାର ବୋଲି କହିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ ।

ଏକଦା ବିଜେପିର ବରିଷ୍ଠ ସାଂସଦ ଥିବା ବରୁଣ ଗାନ୍ଧୀ ଏବେ ଏକ ପ୍ରକାର କଣଠେସା ହୋଇ ବିଜେପିରେ ରହିଛନ୍ତି । ତାଙ୍କୁ କୌଣସି ମନ୍ତ୍ରୀ ପଦ ମିଳିନଥିବା ବେଳେ ବିଜେପି କୋର କମିଟିରୁ ମଧ୍ୟ ବରୁଣ ଗାନ୍ଧୀଙ୍କୁ ହଟାଇ ଦିଆଯାଇଛି । ତେଣୁ ବିଭିନ୍ନ ସମୟରେ ବିଭିନ୍ନ ଘଟଣାରେ ବରୁଣ ଗାନ୍ଧୀ ବିଜେପି ବିରୋଧରେ ସ୍ବର ଉଠାଇ କେନ୍ଦ୍ର ସରକାରଙ୍କୁ ଅଡୁଆରେ ପକାଇଛନ୍ତି ।

Leave a Reply