ଜୟପୁର ଓ ଉତକେଲା ବିମାନମନ୍ଦରକୁ ତୁରନ୍ତ କାର୍ଯ୍ୟକ୍ଷମ କର: ସାଂସଦ ମାନସ ମଙ୍ଗରାଜ

ନୂଆଦିଲ୍ଲୀ: କୋରାପୁଟ ଜିଲ୍ଲାର ଜୟପୁର ଓ କଳାହାଣ୍ଡିର ଉତକେଲା ଏୟାରପୋର୍ଟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ସଂସଦରେ ସ୍ୱତନ୍ତ୍ର ଆଲେଖ୍ୟ ଜରିଆରେ ଏହି ପ୍ରସଙ୍ଗ ଉଠାଇଥିଲେ ମାନସ ମଙ୍ଗରାଜ । ୨୦୧୭ରେ ମାଓ ଅଧ୍ୟୁଷିତ କୋରାପୁଟ ଓ କଳାହାଣ୍ଡିରେ ୨ଟି ଏୟାରପୋର୍ଟ ପାଇଁ ଯୋଜନା ହୋଇଥିଲା । ସେହି ଅନୁସାରେ ଜୟପୁର ଓ ଉତକେଲା ଏୟାରପୋର୍ଟକୁ ଉଡାନ ଯୋଜନାରେ ସାମିଲ କରାଯାଇଥିଲା ।

ବହୁ ଦାବି ପରେ ୨୦୨୦ରେ କାମ ଆରମ୍ଭ ହୋଇଥିଲା । ଏହି ୨ଟି ଏୟାରପୋର୍ଟ ସହ ଝାରସୁଗୁଡ଼ା ବିମାନବନ୍ଦର କାମ ଆରମ୍ଭ ହୋଇଥିଲା । ଝାରସୁଗୁଡ଼ା ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇସାରିଥିବାବେଳେ ଜୟପୁର ଓ ଉତକେଲା ଏୟାରପୋର୍ଟ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରୁନାହିଁ । କଳାହାଣ୍ଡି ଓ କୋରାପୁଟ ରାଜ୍ୟର ଅନ୍ୟତମ ବ୍ୟବସାୟୀକ ପେଣ୍ଠସ୍ଥଳୀ । କିନ୍ତୁ ଦୁଇଟି ଯାକ ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇପାରୁନଥିବାରୁ ଲୋକଙ୍କ ଦୀର୍ଘ ବର୍ଷର ସ୍ବପ୍ନ ପୂରଣ ହୋଇପାରୁନି । ଏଥିସହ ଏହି ଦୁଇ ଜିଲ୍ଲା ମାଓ ପ୍ରଭାବିତ ହୋଇଥିବାରୁ ଦୁଇ ଏୟାରପୋର୍ଟକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି ସାଂସଦ ମାନସ ମଙ୍ଗରାଜ ।