ସ୍କିଲଡ୍ ଓଡ଼ିଶା କାର୍ଯ୍ୟକ୍ରମ ଓଡ଼ିଶାର ଦକ୍ଷତା ବିକାଶ ପରିଦୃଶ୍ୟକୁ ବିଶ୍ୱସ୍ତରୀୟ କରିପାରିଛି
1 min read
ଭୁବନେଶ୍ୱର: ବିଶ୍ୱ ଦକ୍ଷତା କେନ୍ଦ୍ରରେ ଅତ୍ୟାଧୁନିକ ଭିତ୍ତିଭୂମି ବ୍ୟବସ୍ଥା ପ୍ରବର୍ତ୍ତନ କରାଯାଇ ଇଂଜିନିୟରିଂର ବିଭିନ୍ନ ଟ୍ରେଡ୍ ଛାତ୍ରଛତ୍ରୀଙ୍କୁ ଆଧୁନିକ ଦକ୍ଷତା ତାଲିମ ଦିଆଯିବ ବୋଲି ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଉଲ୍ଲେଖ କରିଛନ୍ତି । ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ର ଦ୍ୱିତୀୟ ଦିବସରେ ‘ସ୍କିଲଡ୍ ଇନ୍ ଓଡ଼ିଶା’ ଉପରେ ଆୟୋଜିତ ଅଧିବେଶନରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଘଡେଇ କହିଛନ୍ତି ଯେ ଆମ ଯୁବଗୋଷ୍ଠୀଙ୍କୁ ଅଧିକ କୁଶଳୀ, ଦକ୍ଷ କରି ଗଢ଼ିତୋଳିବା ପାଇଁ ସରକାର ଅନେକ ବ୍ୟବହାରିକ କାର୍ଯ୍ୟକ୍ରମ ଅବ୍ୟାହତ ରଖିଛନ୍ତି ।
ସ୍କିଲଡ୍ ଓଡ଼ିଶା କାର୍ଯ୍ୟକ୍ରମ ଓଡ଼ିଶାର ଦକ୍ଷତା ବିକାଶ ପରିଦୃଶ୍ୟକୁ ବିଶ୍ୱସ୍ତରୀୟ କରିପାରିଛି ବୋଲି ସେ କହିଛନ୍ତି । ବିଭିନ୍ନ ଶିଳ୍ପସଂସ୍ଥା, ଅନୁଷ୍ଠାନର ପ୍ରତିନିଧି ତଥା ଯୁବକ ଏବଂ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଆୟୋଜିତ ଏହି ଅଧିବେଶନରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାର ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା କହିଥିଲେ ଯେ ଦକ୍ଷତା ସମକାଳୀନ ବଜାରର ଆବଶ୍ୟକତା ହୋଇଥିବାବେଳେ ସ୍କିଲଡ୍ ଇନ୍ ଓଡ଼ିଶା ଫ୍ଲାଗ୍ସିପ୍ କାର୍ଯ୍ୟକ୍ରମ ଆମର ଯୁବକ ଯୁବତୀମାନଙ୍କୁ ଶିଳ୍ପସଂସ୍ଥାର ଆବଶ୍ୟକତା ଅନୁଯାୟୀ ପ୍ରସ୍ତୁତ କରିବାରେ ସହାୟକ ହୋଇପାରିଛି ।
ଦକ୍ଷତା କ୍ଷେତ୍ରଗୁଡିକ ଉପରେ କିଛି ଉପଯୋଗୀ ଜ୍ଞାନ ସଂଗ୍ରହ କରିବାରେ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ସଫଳ ହୋଇଥିଲା । ଶିଳ୍ପ ଚାହିଦା ଏବଂ ବ୍ୟବସାୟକୁ ଆଧାର କରି ‘ସ୍କିଲଡ୍-ଇନ୍-ଓଡିଶା ରେ ଦକ୍ଷତା ସଶକ୍ତିକରଣ କାର୍ଯ୍ୟକ୍ରମର ସଫଳତା, ଟେକ୍ନୋଲୋଜି ସାମର୍ଥ୍ୟ ଏବଂ ଭବିଷ୍ୟତର ବଜାର ଆବଶ୍ୟକତା ନିମନ୍ତେ ଅଧିକ କୁଶଳୀ ମାନବସମ୍ବଳ ସୃଷ୍ଟି କରିବା ସକାଶେ ଏହାର ବ୍ୟାପକ ଉପଯୋଗ ନେଇ ଅଧିବେଶନରେ ସବିଶେଷ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍, ଆଇବିଏମ୍, ଏସ୍ଏମ୍ଏସ୍ ଗ୍ରୁପ୍, ହେକ୍ସାଗନ୍ ଇଣ୍ଡିଆ, ୟୋକୋହାମା, ଇଭିଓଏସ୍ ବିଲଡକନ୍ ଭଳି ବହୁ ବ୍ୟବସାୟିକ ଓ ଶିଳ୍ପପ୍ରତିଷ୍ଠାନ ଯୋଗଦେଇଥିଲେ ।