ନଭେମ୍ବର ୩୦ରୁ ରାଜ୍ୟରେ ହେବ ମେକ୍ ଇନ୍ ଓଡିଶା କନକ୍ଲେଭ

ଭୁବନେଶ୍ୱର: ସରିଲା ମୁଖ୍ୟମନ୍ତ୍ରୀଙ୍କ ନିବେଶକ ସମ୍ମିଳନୀ। ଅପେକ୍ଷା ନଭେମ୍ବର ୩୦ ତାରିଖକୁ। ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ଯାଏ ରାଜ୍ୟରେ ମେକ୍ ଇନ୍ ଓଡିଶା କନକ୍ଲେଭର ଆୟୋଜନ ହେବ । ଏନେଇ ଦୁବାଇ, ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଳୁର ଓ ଗତକାଲି ହାଇଦ୍ରାବାଦରେ ନିବେଶକଙ୍କ ସହ ଆଲୋଚନା କରି ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ନିବେଶକଙ୍କୁ ଏକ୍ସ ପ୍ଲସର ସୁବିଧା ଯୋଗାଇ ଦିଆଯିବ ବୋଲି ନବୀନ ପୁଞ୍ଜିପତିଙ୍କୁ କହିଛନ୍ତି। ନୂଆ ସମ୍ପର୍କ ଗଢିବୁ। ପୁରୁଣା ସମ୍ପର୍କକୁ ଆହୁରି ମଜଭୁତ କରିବୁ । ଏମିତି କିଛି ପ୍ରତିଶ୍ରୁତି ସହ ଗତକାଲି ହାଇଦ୍ରାବାଦରେ ନିବେଶକଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୧୦ ବର୍ଷରେ ଓଡ଼ିଶାରେ ସର୍ବାଧିକ ଅଭିବୃଦ୍ଧି ଦେଖିବାକୁ ମିଳିବ ।

ସବୁ କ୍ଷେତ୍ରରେ ଏବେ ରାଜ୍ୟ ଦ୍ରୁତ ଗତି କରୁଛି ବୋଲି କହିଛନ୍ତି ନବୀନ। ପ୍ରାକୃତିକ ସଂପଦ, ଦକ୍ଷ ମାନବ ସମ୍ବଳ, ସ୍ଥିର ସରକାର ପାଇଁ ଓଡ଼ିଶା ଶିଳ୍ପପତିଙ୍କର ପ୍ରଥମ ପସନ୍ଦ ପାଲଟିଛି । ଏହା ମଧ୍ୟରେ ବଡ଼ ବଡ଼ ଭାରତୀୟ ଆଇଟି କମ୍ପାନୀ ଭୁବନେଶ୍ବରରେ ଅଫିସ ଖୋଲିଲେଣି। ରାଜ୍ୟ ସରକାର ମଧ୍ୟ ସମସ୍ତ ପ୍ରକାର ସହାୟତା ଓ ପାରିବେଶିକ ସୁବିଧା ଯୋଗାଇ ଦେଉଛନ୍ତି । ମାନ୍ୟୁଫାକଚରିଂ ନିବେଶରେ ଓଡ଼ିଶା ସର୍ବଭାରତୀୟସ୍ତରରେ ଟପ୍ ଷ୍ଟେଟର ସ୍ଥାନ ପାଇଛି।

ଇଜ୍ ଅଫ୍ ଡୁଇଂ ବିଜନେସ୍ ରେଟିଂରେ ଓଡ଼ିଶାକୁ ମିଳିଛି ଆଚିଭର ମାନ୍ୟତା । ନିଯୁକ୍ତି ଭିତ୍ତିକ ଶିଳ୍ପ ପରିବେଶ ଗଢ଼ିବାକୁ ଓଡ଼ିଶା ବଦ୍ଧ ପରିକର ବୋଲି ହାଇଦ୍ରାବାଦରେ ଇନଭେଷ୍ଟର୍ସ ମିଟରେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଅନ୍ୟପଟେ ଆଜି ୬ ଦେଶର ରାଷ୍ଟ୍ରଦୂତ ଓଡ଼ିଶା ଆସିବେ । ମେକ ଇନ ଓଡ଼ିଶା କନକ୍ଲେଭ ସଂସ୍କରଣ ଥ୍ରୀ ପୂର୍ବରୁ ଆସିଆନାର ଏକ ପ୍ରତିନିଧି ଦଳ ଓଡ଼ିଶା ଗସ୍ତରେ ଆସିବେ । ଏହି ଦଳରେ ମିଆଁମାର, ଇଣ୍ଡୋନେସିଆ, ଫିଲିଫାଇନ୍ସ, ଥାଇଲାଣ୍ଡ, ମାଲେସିଆ, ଭିଏତନାମ ଆଦି ଦେଶର ପ୍ରତିନିଧି ମାନେ ସାମିଲ ହେବେ।