ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ପାଳନ ହେବ ମହାପ୍ରଭୂଙ୍କ ମକରନୀତି
ପୁରୀ: ପବିତ୍ର ମକର ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ପାଳନ ହେବ ମହାପ୍ରଭୂଙ୍କ ମକରନୀତି । ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ ଦ୍ୱାଦଶଯାତ୍ରା ମଧ୍ୟରେ ମକରସଂକ୍ରାନ୍ତି ଏକ ପ୍ରମୂଖ ଯାତ୍ରା ହୋଇଥିବାରୁ ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି । ଶ୍ରୀମନ୍ଦିର ଦ୍ୱାର ଫିଟିବା ପରେ ମହାପ୍ରଭୁଙ୍କର ମଙ୍ଗଳ ଆଳତି ଓ ଅବକାଶ ନୀତି ବଢ଼ିବା ପରେ ଶ୍ରୀଜିଉମାନଙ୍କର ପଟା ପହରଣ ଲାଗି କରାଯିବା ପରେ ତ୍ରିମୁଣ୍ଡିରେ ମକରଚୂଳ ଲାଗି ହେବ । ଏହାପରେ କର୍ପୂର ଲାଗି ହୋଇ ଶ୍ରୀବିଗ୍ରହମାନଙ୍କର ବେଶ ବଢ଼ିବ । ଗୋପାଳବଲ୍ଲଭ ଓ ସକାଳଧୂପ ନୀତି ବଢ଼ିବା ପରେ ମଇଲମ, ମହାସ୍ନାନ, ସର୍ବାଙ୍ଗ ଲାଗି, ନୂଆଲୁଗା ଲାଗି, ମାଳଚୂଳ ଲାଗି ହେବା ପରେ ୬ ମୂର୍ତ୍ତି ଅଳଙ୍କାର ଲାଗି ହୋଇ ମହାପ୍ରଭୁ ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆଜିଠାରୁ ସୂର୍ଯ୍ୟଙ୍କର ଆରମ୍ଭ ହେବ ଉତ୍ତରାୟଣ ଗତି । ଏହି ଉତ୍ତରାୟଣ ସମୟ ଅତିବ ଶୁଭଙ୍କର । ଏହି ଅବସରରେ ମାଳଚୂଳ ଅଳଙ୍କାର ପିନ୍ଧି ମକର ଚୌରାସୀ ବେଶରେ ସଜିତ ହେବେ ଶ୍ରୀଜିଉ । ସେପଟେ ଗତକାଲି କୁମ୍ଭାରପଡ଼ା ସ୍ଥିତ ଆଲାମଚଣ୍ଡୀ ମନ୍ଦିର ପକ୍ଷରୁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ମକର ଚାଉଳ ଭୋଗ ପାଇଁ ଏକ ପଟୁଆରରେ ଯାଇ ପାଞ୍ଚୋଟି ମକରତାଡ ଯୋଗାଇ ଦିଆଯାଇଛି । ମକର ସଂକ୍ରାନ୍ତି ଅବସରରେ ଆସନ୍ତାକାଲି ମହାପ୍ରଭୂଙ୍କ ମକରବେଶ ବା ମକର ଚୌରାଶୀ ବେଶ ଅନୁଷ୍ଠିତ ହେବ । ସେପଟେ ମକରଚାଉଳ ଭୋଗ ମଧ୍ୟ ମହାପ୍ରଭୁଙ୍କ ନିକଟରେ ସମର୍ପଣ ହେବ ।