ଶିବରାତ୍ରୀରେ ଅଘଟଣ: ମହାଦେବଙ୍କ ଶୋଭାଯାତ୍ରା ବେଳେ କରେଣ୍ଟ ଲାଗି ୧୪ ଶିଶୁ ଗୁରୁତର

କୋଟା: ମହାଶିବରାତ୍ରୀ ଅବସରରେ ରାଜସ୍ଥାନର କୋଟାରେ ବଡ଼ ଅଘଟଣ । ମହାଦେବଙ୍କ ଶୋଭାଯାତ୍ରା ଯାଉଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୧୪ ଜଣ ପିଲା ଆହତ ହୋଇଛନ୍ତି । ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଚିତ୍କାର ଶୁଣିବାକୁ ମିଳିଥିଲା । ଲୋକମାନେ ପିଲାମାନଙ୍କୁ ଧରି ମେଡିକାଲ ଦୌଡୁଥିବା ଦେଖିବାକୁ ମିଳିଥିଲା । ଆହତ ପିଲାମାନଙ୍କୁ ଏମବିଏସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କୋଟା ଏସପି ଅମୃତ ଧଓ୍ବନ କହିଛନ୍ତି, ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ଘଟଣା ଘଟିଛି । ୨୦ରୁ ୨୫ ମହିଳା, ପୁରୁଷ ଓ ପିଲା ମହାଦେବଙ୍କ କଳସ ଯାତ୍ରା ପାଇଁ ଏକାଠି ହୋଇଥିଲେ । ଏମାନଙ୍କ ମଧ୍ୟରୁ ଜଣେ ପିଲା ହାତରେ ୨୦ରୁ ୨୨ ଫୁଟ ଲମ୍ବାର ଏକ ଲୁହା ପାଇପ୍ ଥିଲା । ଯାହା ଉପରେ ଯାଇଥିବା ହାଇ ଭୋଲଟେଜ୍ ବିଦ୍ୟୁତ୍ ତାରରେ ଲାଗି ଯାଇଥିଲା । ଫଳରେ ସେଠାରେ ଥିବା ଅନ୍ୟ ପିଲାମାନଙ୍କୁ ମଧ୍ୟ ବିଦ୍ୟୁତ୍ ଆଘାତ ଲାଗିଥିଲା ଓ ସେମାନେ ବି ଆହତ ହୋଇଛନ୍ତି ।

ସ୍ଥାନୀୟ ପ୍ରଶାସନ ପକ୍ଷରୁ ପିଲାମାନଙ୍କ ଚିକିତ୍ସା କରାଯାଉଛି । ଆହତଙ୍କ ମଧ୍ୟରେ ଗୋଟିଏ ପିଲାର ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ସେ ପ୍ରାୟ ଶତ ପ୍ରତିଶତ ପୋଡି ଯାଇଛି । ଅନ୍ୟ ଏକ ପିଲାର ଶରୀର ପ୍ରାୟ ୫୦ ପ୍ରତିଶତ ପୋଡିଯାଇଛି ।

ଖବର ପାଇଁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ଶକ୍ତିମନ୍ତ୍ରୀ ହୀରାଲାଲ ନାଗର ହସ୍ପିଟାଲରେ ପହଞ୍ଚି ପିଲାମାନଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।