ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ବର: ରାଜ୍ୟରେ ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ କରାଯାଇଛି । ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲଙ୍କୁ ଜଳ ସମ୍ପଦ ବିଭାଗର ଯୁଗ୍ମ ସଚିବ କରାଯାଇଛି ।  କନ୍ଧମାଳ ଜିଲ୍ଲାପାଳ ଡ. ବୃନ୍ଦା ଡିଙ୍କୁ ଓଡ଼ିଶା ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ କରାଯାଇଛି ।

ରାଜ୍ୟ ପ୍ରକଳ୍ପ ସଂଯୋଜକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଯୋଜକ ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ବାଲେଶ୍ବର ଜିଲ୍ଲପାଳ କେ. ସୁଦର୍ଶନ ଚକ୍ରବର୍ତ୍ତି ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ବଦଳି ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ସିଏମସି କମିଶନର ଭାବେ ନିଯୁକ୍ତି ପାଇଛନ୍ତି । ଏହାସହ ସେ ସିଡିଏର ଉପାଧ୍ୟକ୍ଷ ଦାୟିତ୍ବ ତୁଲାଇବେ । ସେହିପରି ଗଞ୍ଜାମ ଜିଲ୍ଲାପାଳ କୋଲାଙ୍ଗେ ବିଜୟ ଅମୃତା ବିଏମସି କମିଶନର ଭାବେ ନିଯୁକ୍ତି ପାଇଛନ୍ତି । ଏହାସହ ସେ କ୍ରୁଟର ଏମଡି ଓ ବିଏସସିଏଲର ସିଇଓ ଦାୟିତ୍ବ ତୁଲାଇବେ ।

ଆଇଏଏସ ମଧୁସ୍ମିତା ସାହୁ ଜଳ ସମ୍ପଦ ବିଭାଗ ଯୁଗ୍ମ ସଚିବରୁ ରାଜସ୍ବ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି ହୋଇଛନ୍ତି । କଳାହାଣ୍ଡି ଜିଲ୍ଲାପାଳ ଗାଭାଲି ପରାଗ ହର୍ସାଦ ସୁନ୍ଦରଗଡ଼ ଜିଲ୍ଲାପାଳ ଭାବେ ବଦଳି ହୋଇଛନ୍ତି । ନୂଆପଡ଼ା ଜିଲ୍ଲାପାଳ ସ୍ବାଧା ଦେବ ସିଂଙ୍କୁ ରାୟଗଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କୁ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଦାୟିତ୍ବ ମିଳିଛି ।

ସିଏମସି କମିଶନର ଅନନ୍ୟା ଦାସଙ୍କୁ ସମ୍ବଲପୁର ଜିଲ୍ଲାପାଳ ଭାବେ ଦାୟିତ୍ବ ମିଳିଥିବା ବେଳେ ସମ୍ବଲପୁର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଗଞ୍ଜାମ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି । ବ୍ରହ୍ମପୁର ମହାନଗର ନିଗମ କମିଶନର ସିଦ୍ଧେଶ୍ବର ବଳିରାମ ବନ୍ଦାର ଭଦ୍ରକ ଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଛନ୍ତି । ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀ ରାଜସ୍ବ ବିଭାଗ ସ୍ବତନ୍ତ୍ର ସଚିବ ଭାବେ ବଦଳି ହୋଇଛନ୍ତି ।

ଗଞ୍ଜାମ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଦତାତ୍ରୟ ଭାଉସାଏବ ସିନ୍ଦେଙ୍କୁ ବାଲେଶ୍ବର ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଥିବା ବେଳେ କଳାହାଣ୍ଡି ଡିଆରଡିଏ ପିଡି ସୋମେଶ କୁମାର ଉପାଦ୍ଧାୟଙ୍କୁ ଦେବଗଡ଼ ଜିଲ୍ଲାପାଳ ଭାବେ ଦାୟିତ୍ବ ମିଳିଛି । ମୟୂରଭଞ୍ଜ ଡିଆରଡିଏ ପିଡି ପି. ଅନଭେଶ ରେଡ୍ଡୀ କଳାହାଣ୍ଡି ଜିଲ୍ଲାପାଳ ଦାୟିତ୍ବ ତୁଲାଇବେ । ବାଲେଶ୍ବର ଉପଜିଲ୍ଲାପାଳ ପାଟିଲ ଆଶିଷ ଈଶ୍ବରଙ୍କୁ କନ୍ଧମାଳ ଜିଲ୍ଲାପାଳ ଦାୟିତ୍ବ ମିଳିଛି । କୋରାପୁଟ ଡିଆରଡିଏ ପିଡି ହେମକାନ୍ତ ସଏଙ୍କୁ ନୂଆପଡ଼ା ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି ।

ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତିଭାସନ ଭି.ଙ୍କୁ ଗଞ୍ଜାମ ଡିଆରଡିଏ ପିଡି, ସମ୍ବଲପୁର ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କୁ ଭୁବନେଶ୍ବର ମହାନଗର ନିଗମର ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି । ଗୁଣପୁର ଉପଜିଲ୍ଲାପାଳ ଜେ. ସୋନାଲଙ୍କୁ ବ୍ରହ୍ମପୁର ମହାନଗର ନିଗମର କମିଶନର ଭାବେ ସରକାର ଦାୟିତ୍ବ ଦେଇଥିବା ବେଳେ ନବରଙ୍ଗପୁର ଉପ ଜିଲ୍ଲାପାଳ ଅଗ୍ରଓ୍ବାଲ ଅକ୍ଷୟ ସୁନୀଲଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅଣ୍ଡର ସେକ୍ରେଟାରୀ ଭାବେ ନିଯୁକ୍ତି ଦିଆଯାଇଛି ।