ମାଥିଲି : ଡାଇଲିସିସ୍ ପାଇଁ ଜଳ ନିଅଣ୍ଟ । କିଡନୀ ରୋଗୀ ପ୍ରଭାବିତ । ୮ ମାସ ହେବ ହୀନସ୍ତା ଭୋଗୁଛନ୍ତି ରୋଗୀ । ନିଘୋଡ ନିଦ୍ରାରେ ପ୍ରଶାସନ । ମାଲକାନଗିରି ଜିଲ୍ଲା ମାଥିଲି ସଦର ସବଡିଭିଜନ ମେଡିକାଲରୁ ଆସିଛି ସ୍ଵାସ୍ଥ୍ୟସେବାର ବିକଳ ଚିତ୍ର । ମେଡିକାଲରେ କିଡନୀ ରୋଗୀଙ୍କ ଚିକିତ୍ସା ପାଇଁ ସମସ୍ତ ଯନ୍ତ୍ରାଂଶ ଲାଗିଛି । ହେଲେ ଜଳ ନିଅଣ୍ଟରୁ ଦୈନିକ ମାତ୍ର ୪ ଗୋଟି ରୋଗୀଙ୍କ ଡାଇଲିସିସ୍ ହୋଇପାରୁଛି । ଅନ୍ୟ ରୋଗୀ ମାନେ ଅପେକ୍ଷା କରି ହଟହଟା ହେଉଛନ୍ତି ।
ମାଥିଲି ସବଡିଭିଜନ ମେଡିକାଲ ଉପରେ ଦୈନିକ ଶହ ଶହ ରୋଗୀ ନିର୍ଭର କରନ୍ତି । ଖଇରପୁଟ, ମାଥିଲି, କୁଡୁମୁଲୁଗୁମ୍ମା ଠାରୁ ଆରମ୍ଭ କରି ପଡୋଶୀ ଛତିଶଗଡ ସୀମାନ୍ତ ଗାଁ ଗଣ୍ଡାର ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସନ୍ତି । ହେଲେ ମେଡିକାଲରେ ଆବଶ୍ୟକତା ଅନୁସାରେ ଜଳ ନଥିବାରୁ ରୋଗୀ ବହୁ ହଇରାଣ ହେଉଛନ୍ତି । ଅନ୍ୟପଟେ ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୃତି ଦେଇଥିବା କହିଛନ୍ତି ଭାରପ୍ରାପ୍ତ ଡାକ୍ତର । ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ରୋଗୀଙ୍କୁ ଉତ୍ତମ ସ୍ଵାସ୍ଥ୍ୟସେବା ଯୋଗାଇ ଦେବାକୁ ଦାବି ହୋଇଛି ।

