ମୃତ ମାଲିକଙ୍କ ଏଟିଏମ ବ୍ୟବହାର କରି ୩୫ ଲକ୍ଷ ଲୁଟ୍,ଜାଣନ୍ତୁ ଲୁଟର ପୁରା କାହାଣୀ….

କୋଲକାତା: ମୃତ ମାଲିକଙ୍କ ଏଟିଏମ ବ୍ୟବହାର କରି ଚାକରାଣୀ ଦ୍ୱାରା ୩୫ ଲକ୍ଷ ଟଙ୍କା ଲୁଟ । କୋଲକତାରେ ଘଟିଥିବା ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି । ୭ ବର୍ଷ ଧରି କୋଲକୋତାର ଅନଓ୍ୱାର ଶାହ ରୋଡର ଏକ ଘରେ କାମ କରୁଥିବା ଜଣେ ଚାକରାଣୀ ଓ ତା’ର ଦୁଇ ସାଥି ଏଭଳି କାଣ୍ଡ କରିଥିବା ଜଣା ପଡିଛି ।ପୋଲିସ ଅନୁସାରେ ନାଡ଼ିଆର ନାକାସିପଡ଼ାରେ ରହୁଥିବା ୪୫ ବର୍ଷୀୟ ମୁଖ୍ୟ ଅଭିଯୁକ୍ତ ରୀତା ରୟ, ନାଡ଼ିଆର କରିମପୁରରେ ରହୁଥିବା ୩୧ ବର୍ଷୀୟ ରୀତାର ଜ୍ୱାଇଁ ରଞ୍ଜିତ ମୁଲିକ ଏବଂ ହୁଗଲୀର ଗୁପ୍ତିପଡ଼ାରେ ରହୁଥିବା ମୁଲିକର ୪୫ ବର୍ଷୀୟ ନଣନ୍ଦେଇକୁ ଗିରଫ କରିଛି । ଗିରଫ ପରେ ପୋଲିସ୍‌ଏହି ତିନି ଅଭିଯୁକ୍ତଙ୍କ ଠାରୁ ୨୭ ଲକ୍ଷ ଟଙ୍କା ଜବତ କରିବାରେ ସକ୍ଷମ ହୋଇଛି ।

କମିଶନର ପୋଲିସ ମୁରଲୀଧର୍ମା ଶର୍ମାଙ୍କ କହିବା ଅନୁସାରେ ପ୍ରିନ୍ସ ଅନଓ୍ୱାର ଶାହ ରୋଡରେ ରହୁଥିବା ଅନୁରାଗ ଅଗ୍ରଓ୍ୱାଲ ନାମକ ଜଣେ ବ୍ୟକ୍ତି ଯାଦବପୁର ପୋଲିସ ଥାନାରେ ଏକ ଏତଲା ଦେଲେ । ଯେଉଁଥିରେ ଉଲ୍ଲେଖ ଥିଲାଯେ ତାଙ୍କ ବାପାଙ୍କ ଏଟିଏମରୁ ଟଙ୍କା ଚୋରି ହୋଇଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ତାଙ୍କ ବାପା ସତ୍ୟନାରାୟଣ ଅଗ୍ରଓ୍ୱାଲଙ୍କର ଗତ ଦୁଇ ମାସ ପୂର୍ବରୁ ମୃତ୍ୟୁ ହୋଇ ସାରିଛି । ସତ୍ୟନାରାୟଣଙ୍କ ଏଟିଏମ ବ୍ୟବହାର କରି ଉକ୍ତ ଅଭିଯୁକ୍ତମାନେ ବିଭିନ୍ନ ଏଟିଏମ କାଉଣ୍ଟରରୁ ମାର୍ଚ୍ଚ ୩୦ରୁ ମଇ ୩୦ ମଧ୍ୟରେ ୩୪ ଲକ୍ଷ ୯୦ ହଜାର ଟଙ୍କା ଉଠାଇଛନ୍ତି ।

ଏପଟେ ଲକଡାଉନ ସେପଟେ ଚୋରି କରିବାର ଷଡ଼ଯନ୍ତ୍ର ରଚିଲେ ଅଭିଯୁକ୍ତ । ସଂପୂର୍ଣ୍ଣ ଲକଡାଉନ ହୋଇଥିବାରୁ କେହି ମଧ୍ୟ ବ୍ୟାଙ୍କ ଯାଉ ନଥିଲେ । ଏଟିଏମରୁ ଟଙ୍କା ଉଠା ଯାଇଥିବାର ସୁରାକ୍‌ ମଧ୍ୟ କାହାକୁ ମିଳିନଥିଲା । ଅନ୍ୟ ଏକ ଫ୍ଲାଟରେ ରହୁଥିଲେ ସତ୍ୟନାରାୟଣଙ୍କ ପୁଅ । ସତ୍ୟନାରାୟଣଙ୍କ ମୃତ୍ୟୁ ପରେ ତାଙ୍କ ମୋବାଇଲ ଫୋନ ସ୍ୱିଚ୍ଡ ଅଫ ଥିବାରୁ ଆସୁଥିବା ମେସେଜ ତାଙ୍କ ତାଙ୍କ ପରିବାର ସଦସ୍ୟଙ୍କ ନିକଟରେ ପହଂଚି ପାରୁନଥିଲା । ସତ୍ୟନାରାୟଣ ଏଟିଏମ ପାସଓ୍ୱର୍ଡ଼ ଭୁଲି ଯାଉ ଥିବାରୁ ତାଙ୍କ ପୁଅ ଅନୁରାଗ ଅଗ୍ରଓ୍ୱାଲ ତାଙ୍କୁ ଏଟିଏମ ପିନକୁ ମେସେଜ କରିଥିଲେ । ତଦନ୍ତ ଅଧିକାରୀଙ୍କ ସୂଚନା ମୁତାବକ ଚାକରାଣୀ ହାତରେ ପଡ଼ିଥିଲା ଏଟିଏମ ପିନ୍‌। ଅନୁରାଗ ଜୁନ୧ରେ ତାଙ୍କ ବାପାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଯିବା ପରେ ଉକ୍ତ ଘଟଣାର ପର୍ଦ୍ଦାଫାଶ ହୋଇଥିଲା ।

ତଦନ୍ତ ପରେ କେତେବେଳେ କେଉଁ କେଉଁ ଏଟିଏମ କାଉଣ୍ଟରରୁ ଟଙ୍କା ଉଠା ଯାଇଥିଲା ତାହାର ସିସିଟିଭି ଫୁଟେଜ ମିଳିଲା । ମୁହଁରେ ମାସ୍କ ଏବଂ ମୁଣ୍ଡରେ କ୍ୟାପ ପିନ୍ଧି ସମସ୍ତଙ୍କ ଆଖିରେ ଧୂଳି ଦେଇ ଏଭଳି ଜଘନ୍ୟ ଅପରାଧ କରୁଥିଲେ ଦୁଇ ଅଭିଯୁକ୍ତ । କରିମପୁର, କ୍ରିଷ୍ଣାଗୋର ଏବଂ ନାଡିଆର ରାଣାଘାଟ ଏବଂ ହୁଗଲୀର ଗୁପ୍ତିପଡ଼ାର ବିଭିନ୍ନ ବ୍ୟାଙ୍କର ଏଟିଏମରୁ ଟଙ୍କା ଉଠା ଯାଉଥିଲା । ତେବେ ସିସିଟିଭି ଫୁଟେଜ ପାଇବା ପରେ ଅଭିଯୁକ୍ତକାରୀଙ୍କୁ ୧୩ ଅଗଷ୍ଟରେ ସେମାନଙ୍କ ବାସଭବନରୁ ଗିରଫ କରାଗଲା । ମୁଲିକର ଶାଶୁ ରୀତା ରୟ ସେମାନଙ୍କୁ ଏହି ଏଟିଏମ ଦେଇଥିବା ସ୍ପଷ୍ଟ କଲେ ଦୁଇ ଅଭିଯୁକ୍ତ । ତେବେ କୋଲକାତାରେ କାମ କରୁଥିବା ସମୟରେ ରୀତା ଗିରଫ ହେଲା । ପୋଲିସ ସେମାନଙ୍କୁ ହେପାଜତଙ୍କୁ ନେଇଛି ।

 

ଏଭଳି ସମସ୍ୟାର ସମ୍ମୁଖୀନ ନ ହେବା ପାଇଁ ପୋଲିସ ଅଧିକାରୀଙ୍କ ପରାମର୍ଶ:

୧. ମୋବାଇଲ କିମ୍ବା ଅନ୍ୟ କୌଣସି ଯାନ୍ତ୍ରିକ ଉପକରଣରେ ସେଭ୍‌ କରନ୍ତୁ ନାହିଁ ଏଟିଏମ ପିନ୍‌।
୨. ଆପଣଙ୍କ ପାଖରେ କାମ କରୁଥିବା ଚାକର ଚାକରାଣୀଙ୍କ ସାମ୍ନାରେ ଟଙ୍କା ବିଷୟରେ କୌଣସି ପ୍ରକାରର ଆଲୋଚନା କରନ୍ତୁ ନାହିଁ
୩. ଯଦି ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ହେଉଛି ତେବେ ତୁରନ୍ତ ବ୍ୟାଙ୍କରେ ଜଣାନ୍ତୁ ।
୪. ଏଟିଏମକୁ ଅକାମି କରି ଦିଅନ୍ତୁ କିମ୍ବା ଆକାଉଣ୍ଟର ବିବରଣୀ ନିଅନ୍ତୁ
୫. ଜରୁରୀ କାଗଜପତ୍ରକୁ ଅଣଦେଖା କରନ୍ତୁ ନାହିଁ ।

Leave a Reply