ଜେଏମ୍‌ଏମ୍‌ରେ ଫାଟ, ଦଳରୁ ଇସ୍ତଫା ଦେଲେ ମହେଶ ହେମ୍ୱ୍ରମ୍

ବାରିପଦା: ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍)ରେ ଅସନ୍ତୋଷ । ଦଳରୁ ଇସ୍ତଫା ଦେଲେ ରାଜ୍ୟର ପୂର୍ବତନ ରାଜ୍ୟ ସଭାପତି ମହେଶ ହେମ୍ୱ୍ରମ୍ । ସେ ତାଙ୍କର ଇସ୍ତଫା ପତ୍ର ଦଳର କେନ୍ଦ୍ରୀୟ କମିଟି ସଭାପତିଙ୍କୁ ପ୍ରଦାନ କରି ତାର ଏକକିତା ନକଲ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରଦାନ କରିଛନ୍ତି । ଦଳରେ କାର୍ଯ୍ୟ କରିବାର ସୁଯୋଗ ଦେଇଥିବାରୁ ମହେଶ ସଭାପତିଙ୍କୁ କୃତଜ୍ଞତା ଜଣାଇବା ସହିତ ଦଳର ସାଧାରଣ ସଦସ୍ୟ ଓ ପଦପଦବୀରୁ ସେ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି ।

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ଭଉଣୀ ତଥା ଦଳର ସୁପ୍ରିମ ଶିବୁ ସୋରେନଙ୍କ ଝିଅ ଅଞ୍ଜନୀ ସୋରେନ ରାଜ୍ୟ ଅଧ୍ୟକ୍ଷା ହେବା ପରେ ଜେଏମଏମ୍ ଦଳର ରାଜ୍ୟ ସଂଗଠନର ଅସନ୍ତେୋଷ ଦେଖାଦେଇଥିଲା । ଚିଟଫଣ୍ଡ ମାମଲାରେ ଅଭିଯୁକ୍ତ ଥାଇ ଜେଲ ଯାଇଥିବା ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦାଃ ଜେଏମଏମରେ ଯୋଗେଦଇ ଅଞ୍ଜନୀଙ୍କ ଟିମ୍‌ରେ ରାଜ୍ୟ ସାଧାରଣ ସମ୍ପାଦକ ପଦବୀ ପାଇଥିବା ବେଳେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତିଙ୍କୁ ରାଜ୍ୟ କୋଷାଧ୍ୟକ୍ଷ ଓ ପ୍ରଭୁଦାନ ମାରାଣ୍ଡିଙ୍କୁ ଜିଲ୍ଲା ସଭାପତି ପଦବୀ ମିଳିଥିଲା । ଯାହାକୁ କେନ୍ଦ୍ରକରି ମହେଶ ହେମ୍ୱ୍ରମ୍ ତଥା ତାଙ୍କ ଟିମ୍‌ର ପୂର୍ବତନ ଜିଲ୍ଳା ସଭାପତି ଫାଗୁ ହାଁସଦାଃ ଓ ରାମଚନ୍ଦ୍ର ମୁର୍ମୁଙ୍କ ମଧ୍ୟରେ  ଅସନ୍ତୋଷ ପ୍ରକାଶ ପାଇଥିଲା । ଏଣୁ ଏମାନେ ଅଞ୍ଚନୀଙ୍କ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଉନଥିଲେ । ମହେଶଙ୍କ ପରେ ପରେ ଫାଗୁ ଓ ରାମଚନ୍ଦ୍ର ସମର୍ଥକଙ୍କ ସହିତ ଦଳ ତ୍ୟାଗ ଆଶଙ୍କା ମଧ୍ୟ ଦେଖାଦେଇଛି । ପ୍ରକାଶ ଥାଉ କି, ୨୦୧୪ ମସିହା ବିଧାନସଭା ନିର୍ବାଚନ ପୂର୍ବରୁ ତତ୍କାଳୀନ ରାଜ୍ୟ ସଭାପତି ତଥା ବର୍ତ୍ତମାନର ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଜେଏମଏମ୍ ଦଳରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେବାପରେ ମହେଶ ହେମ୍ୱ୍ରମ୍ ରାଜ୍ୟ ସଭାପତି ହୋଇଥିଲେ । ୨୦୧୯ ବିଧାନସଭା ନିର୍ବାଚନରେ ମହେଶ ସାରସକଣା ଆସନରୁ ଫାଗୁ ବାଙ୍ଗିରିପୋଷି ଆସନରୁ ଓ ରାମଚନ୍ଦ୍ର ରାଇରଙ୍ଗପୁର ଆସନରୁ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ । ୨୦୧୪ରୁ ୨୦୨୦ ପର୍ଯ୍ୟନ୍ତ ଦଳର ନେତୃତ୍ୱ ନେଇ ମହେଶ ଓ ତାଙ୍କ ଟିମ୍ ଦଳର ସଂଗଠନକୁ ମୟୂରଭଞ୍ଜ ସମେତ ରାଜ୍ୟରେ ଶକ୍ତିଶାଳୀ କରିବାରେ ବିଫଳ ରହିବାରୁ ଜେଏମ୍‌ଏମ୍ କେନ୍ଦ୍ରୀୟ କମିଟି ସମସ୍ତଙ୍କ ହାତରୁ କ୍ଷମତା ପ୍ରତ୍ୟାହାର କରି ସଂଗଠନକୁ ପୁନର୍ଗଠିତ କରିଥିଲା । ସେବେ ଠାରୁ ଦଳରେ ଲାଗିଥିବା ପୁଞ୍ଜିଭୂତ କନ୍ଦଳ ଆଜି ପ୍ରକାଶ ପାଇଛି । ଖୁବଶୀଘ୍ର ମହେଶ ଓ ତାଙ୍କ ଟିମ୍ ଅନ୍ୟ ରାଜନୈତିକ ଦଳରେ ଯୋଗଦେବେ ବୋଲି ରାଜେନୖତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

Leave a Reply