ଖାଲି ଭାରତରେ ନୁହେଁ ଚୀନରେ ମଧ୍ୟ ବେଶ୍‌ ଲୋକପ୍ରିୟ ବାପୁ

Mahatma Gandhi Had Faith In God Not On The Security Of The Police

ନୂଆଦିଲ୍ଲୀ:  ଜାତିର ପିତା ମହାତ୍ମା ଗାନ୍ଧୀ କେବଳ ଭାରତରେ ଲୋକପ୍ରିୟ ନୁହଁନ୍ତି ବରଂ ବିଶ୍ୱର ପ୍ରତ୍ୟେକଟି ଦେଶରେ ସେ ଖୁବ ଆଦୃତ । ଅହିଂସା ମାର୍ଗରେ ଜୀବନକୁ ଜଳାଞ୍ଜଳି ଦେଇଥିବା ବାପୁ କେବେ କାହାର ଅନିଷ୍ଟ ଚାହିଁନାହାଁନ୍ତି । ପ୍ରତ୍ୟେକଟି ସମସ୍ୟାକୁ ଖୁବ ସରଳ ଉପାୟରେ ସମାଧାନ କରିଛନ୍ତି । ସେ ବିଶ୍ୱର ପ୍ରାୟ ସ୍ଥାନ ଭ୍ରମଣ କରିଛନ୍ତି, କିନ୍ତୁ କେବେ ମଧ୍ୟ ଚୀନ୍ ଯାଇ ନାହାଁନ୍ତି । ତଥାପି ମଧ୍ୟ ଗାନ୍ଧୀଙ୍କୁ ଚୀନରେ ସମସ୍ତେ ଜାଣନ୍ତି ଓ ଭକ୍ତି କରନ୍ତି ।

ଚୀନରେ ଉପଲବ୍ଧ ‘ଗାନ୍ଧୀ ସାହିତ୍ୟ’ ପଢିବାକୁ ଖୁବ ପସନ୍ଦ କରନ୍ତି ସେଠାକାର ଯୁବଗୋଷ୍ଠୀ । ଚୀନରେ ଗାନ୍ଧିଙ୍କ ଉପରେ ଶହଶହ ପୁସ୍ତକ ଲେଖାଯାଇଛି । ଗାନ୍ଧୀଙ୍କ ଜୀବନୀଠାରୁ ଆରମ୍ଭ କରି ତାଙ୍କ ବିଚାର ଓ କାମ ସହିତ ଜଡ଼ିତ ପ୍ରାୟ ୩୦ ପ୍ରକାରର ପୁସ୍ତକ ଚୀନ୍ ଭାଷାରେ ଲେଖାଯାଇଛି । ଚୀନର ଏକ ଜଣାଶୁଣା ମାଗାଜିନ୍ ପୂର୍ବୀ ପତ୍ରିକାରେ ଗାନ୍ଧୀ ଏବଂ ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସହିତ ଜଡ଼ିତ ଭିନ୍ନଭିନ୍ନ ବିଷୟରେ ପ୍ରାୟ ୭୦ରୁ ଅଧିକ ଲେଖା ପ୍ରକାଶିତ ହୋଇଛି ।

ଚୀନର ପ୍ରତ୍ୟେକ ଇତିହାସ ପୁସ୍ତକରେ ଗାନ୍ଧୀଙ୍କ ବିଷୟ ସାମିଲ ଥାଏ । ଏକଦା ସଙ୍ଘାଇର ଫୁତାନ ବିଶ୍ୱବିଦ୍ୟାଳୟ ସେଠାରେ ଗାନ୍ଧୀଙ୍କ ଅଧ୍ୟୟନ କେନ୍ଦ୍ର ଖୋଲିବାକୁ ନେଇ ଭାରତ ସରକାରଙ୍କୁ ଏକ ଚିଠି ଲେଖିଥିଲେ । ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ୍ ଗସ୍ତ ସମୟରେ ଫୁତାନ ବିଶ୍ୱବିଦ୍ୟାଳୟରେ ଉକ୍ତ ଗାନ୍ଧୀ ଅଧ୍ୟୟନ କେନ୍ଦ୍ର ଉଦଘାଟନ କରିଥିଲେ ।

ପେଇଚିଙ୍ଗରେ ରହିଛି ଛାଓୟାଙ୍ଗ୍ ନାମକ ଏକ ପାର୍କ । ଏହାର ବିଶେଷତ୍ତ୍ୱ ହେଉଛି ଏଠାରେ ରହିଛି ଗାନ୍ଧୀଙ୍କ ପ୍ରତିମୂର୍ତ୍ତି । ଏଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମେତ କାର୍ଲ ମାର୍କସ,ଇଗ୍ନେସି ଜନ୍ ପ୍ୟାଡରବେସ୍କି ଏବଂ ହ୍ରିଷ୍ଟୋ ବୋଟେବଙ୍କ ପ୍ରତିମୂର୍ତ୍ତି ମଧ୍ୟ ରହିଛି । ୧୯୨୦ରେ ଭାରତରେ କୋଣ ଅନୁକୋଣରେ ଗାନ୍ଧୀଙ୍କ ପ୍ରଭାବ ପଡ଼ୁଥିବା ବେଳେ ଚୀନରେ ମଧ୍ୟ ସେ ପ୍ରେରଣା ସାଜିଥିଲେ । ଭାରତରେ ଇଂରେଜମାନେ ରାଜ୍ କରୁଥିବା ବେଳେ ଚୀନରେ ବ୍ରିଟେନ୍ ଏବଂ ଆମେରିକା ଭଳି ବଡ଼ବଡ଼ ଦେଶ ଚୀନ୍ ଉପରେ ରାଜ୍ କରୁଥିଲେ । ଏହା ସହିତ ଭିନ୍ନଭିନ୍ନ କାରଣକୁ ନେଇ ଚୀନରେ ଗୃହଯୁଦ୍ଧ ଆରମ୍ଭ ହୋଇ ଯାଇଥିଲା । ଯାହା ଚୀନ୍ ପାଇଁ ଥିଲା ଘଡ଼ିସନ୍ଧିର ମୁହୂର୍ତ୍ତ । କିନ୍ତୁ ଜାପାନର ସାମ୍ରାଜ୍ୟବାଦକୁ ଚୀନ୍ ଜନତା ବିରୋଧ କରୁଥିବା ବେଳେ ଚୀନକୁ ସମର୍ଥନ କରିଥିଲେ ବାପୁ । ଯାହାକୁ ଚୀନ୍ ଜନତା ଆଜିପର୍ଯ୍ୟନ୍ତ ଭୁଲିନାହାଁନ୍ତି ।

Leave a Reply