ପୀଠରେ ମହାଷ୍ଟମୀ; ବିଧି ଓ ପରମ୍ପରା ସହ ଚାଲିଛି ତ୍ରିଦିନାତ୍ମକ ପୂଜା

ଭୁବନେଶ୍ୱର/ କଟକ / ପୁରୀ: ଆଜି ପୀଠରେ ପବିତ୍ର ମହାଷ୍ଟମୀ | ଶ୍ରୀମନ୍ଦିରରେ ଅବସ୍ଥିତ ମା ବିମଳାଙ୍କ ପୀଠରେ ଆଜି ଗୁପ୍ତ ପୂଜା ବା ସନ୍ଧି ପୂଜା ଅନୁଷ୍ଠିତ ହେବ | ତ୍ରିଦିନାତ୍ମକ ପୂଜାରେ ଗତକାଲିଠାରୁ ମାଙ୍କ ପୀଠରେ ଵିଧି ପରମ୍ପରା ଅନୁସାରେ ପୂଜା ଆରମ୍ଭ ହୋଇଛି | ସେହିପରି ସହରର ବିଭିନ୍ନ ଦେବୀ ପୀଠ ଓ ଗୋଶାଣୀ ମେଢ଼ ମାନଙ୍କରେ ପୂଜାର୍ଚ୍ଚନା କରାଯାଉଛି | କରୋନା କଟକଣା ପାଇଁ ଭକ୍ତଙ୍କ ଗହଳି ଚହଳି ଏତେ ମାତ୍ରାରେ ଦେଖାଯାଉନଥିବା ବେଳେ ନିରାଡ଼ମ୍ବର ଭାବେ ପାରମ୍ପରିକ ଶୈଳୀରେ ପୂଜା କରାଯାଉଛି | ବିରାଟ କାୟ ଗୋଶାଣୀଙ୍କୁ ସଜ୍ଜିତ କରାଯାଇଥିବା ବେଳେ ମା ବିମଳାଙ୍କ ପ୍ରତିନିଧି ସ୍ଵରୁପା ମା କାକୁଡି ଖାଇଙ୍କ ନିକଟରେ ଵିଧି ଓ ପରମ୍ପରା ସହ ପୂଜାର୍ଚ୍ଚନା କରାଯାଉଛି |

ସେହିଭଳି ରାଉରକେଲା ସହରରେ କୋଭିଡ୍ କଟକଣା ମଧ୍ୟରେ ଗତକାଲି ସନ୍ଧ୍ୟାରୁ ଦୁର୍ଗାପୂଜା ଆରମ୍ଭ ହୋଇଛି।  ଗତକାଲି ସନ୍ଧ୍ୟାରେ ମା ଦୁର୍ଗାଙ୍କ ବେଲବରଣୀ କରାଯାଇ ଷଷ୍ଠୀପୂଜା ଆରମ୍ଭ ହୋଇଥିଲା। ଆଜି ସମସ୍ତ ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ସପ୍ତମୀ ପୁଜା ପାଳନ କରାଯାଉଛି। ରାଉରକେଲା ସହରରେ ପ୍ରତିବର୍ଷ ଶତାଧିକ ପୂଜା ମଣ୍ଡପରେ ମା ଦୁର୍ଗାଙ୍କ ପୁଜା ବେଶ ଧୁମଧାମରେ ଓ ଆଡମ୍ବର ସହକାରେ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ କୋଭିଡ କଟକଣା ମଧ୍ୟରେ ନିରାଡମ୍ବର ଭାବେ ପାଳନ କରାଯାଉଛି। । କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକା । ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇଯାଏ ମାଙ୍କ ପାର୍ବଣ ପୂଜା। ଆଜି ମା ଭଟ୍ଟାରିକାଙ୍କ ମହାଷ୍ଟମୀ ପୂଜା। ଆଜି ଦିନରେ ମାଙ୍କ ମହାକାଳୀ ବେଶ ଦେଖିବାକୁ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ମନ୍ଦିରରେ ଲାଗିଥାଏ   ।

କିନ୍ତୁ କରୋନା କଟକଣା ଯୋଗୁଁ ଦେବୋତ୍ତର ବିଭାଗ ତରଫରୁ ମନ୍ଦିର ପ୍ରବେଶ ଦ୍ୱାରରେ ତାଲା ପଡିଛି । ସାଧାରଣ ଭକ୍ତଙ୍କୁ ମାଙ୍କ ଦର୍ଶନ ବାରଣ କରାଯାଇଥିବା ବେଳେ ମାଆଙ୍କ ପୂଜା ରୀତି ନୀତିରେ କୌଣସି ପ୍ରକାର ବ୍ୟତିକ୍ରମ କରାଯାଉନାହିଁ। ସେହିଭଳି ରୌପ୍ୟ ନଗର କଟକରେ ଧରାବତରଣ କରିଛନ୍ତି ମା ଦୁର୍ଗତିନାଶିନୀ  । ଚଳିତ ବର୍ଷ ପୂଜା ଆଡମ୍ବର ସହକାରେ ହୋଇନି ସତ , କିନ୍ତୁ ପୂଜାର ପରିବେଶ ରହିଛି । ମଣ୍ଡପରେ ଆଜି ସପ୍ତମୀ ପୂଜା ଅନୁଷ୍ଠିତ ହେଉଥିବା ବେଲେ ପୀଠରେ ମହାଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି । କୋଭିଡ ଯୋଗୁ ବିନା ଭକ୍ତ ଓ ସୀମିତ ସେବାୟତରେ ଚାଲିଛି ପୂଜାର୍ଚ୍ଚନା । କଟକର ସାମନ୍ତସାହିରେ ଧୂପ ଦୀପ ଭୋଗ ନୈବେଦ୍ୟରେ ମାଙ୍କ ଆବାହନ ଚାଲିଛି ।

Leave a Reply