ଲିଙ୍ଗରାଜ ମନ୍ଦିରରେ ଭକ୍ତିମୟ ପରିବେଶ, ଛୁଟୁଛି ଭକ୍ତଙ୍କ ଶୁଅ; ୩୪ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

Mahashivratri

ଭୁବନେଶ୍ୱର: ଆଜି ମହାଶିବରାତ୍ରୀ । କୋଭିଡ କଟକଣା ଭିତରେ ଶୈବପୀଠରେ ଆୟୋଜିତ ହେଉଛି ଜାଗରଯାତ୍ରା । ଭୁବନେଶ୍ୱରର ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ । ବଡ଼ି ଭୋରରୁ ଦ୍ୱାରଫିଟା ପରେ ବିଭିନ୍ନ ନୀତିକାନ୍ତି ଆରମ୍ଭ ହୋଇଯାଇଛି । ସେପଟେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ମୁତୟନ ଅଛନ୍ତି ୩୪ ପ୍ଲାଟୁନ ପୋଲିସ ଫୋର୍ସ । ଏଥିସହ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି କମିଶନରେଟ ପୋଲିସ ।

ସେହିଭଳି ପୁରୀ ଲୋକନାଥଙ୍କ ପୀଠରେ କଟକଣା ଭିତରେ ପାଳନ ହେବେ ଜାଗର ଯାତ୍ରା । ଶ୍ରଦ୍ଧାଳୁଙ୍କ ପାଇଁ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତା ମୂଳକ କରାଯାଇଛି । ଭୋର ୪ଟାରୁ ନୀତିକାନ୍ତି ଆରମ୍ଭ ହୋଇଥିବା ବେଳେ, ୧୦ଟା ପର୍ଯ୍ୟନ୍ତ ଚାଲିବ ସାଧାରଣ ଦର୍ଶନ । ରାତ୍ରି ୩ଟାରେ ମହାଦୀପ ଉଠିବାକୁ ନିର୍ଘଣ୍ଟ ହୋଇଛି । ସେପଟେ ଭଦ୍ରକ ଆରଡିରେ ଜାଗର ପାଇଁ ଜାରି ହୋଇଛି ୧୪୪ ଧାରା । ବିନା ଭକ୍ତରେ ସମସ୍ତ ନୀତିକାନ୍ତି ସାରିବାକୁ ପ୍ରସ୍ତୁତି କରିଛି ପ୍ରଶାସନ । ଭୋର ୪ଟାରେ ପହଡ଼ ଖୋଲିବା ପରେ ମଙ୍ଗଳ ଆଳତୀ କରାଯାଇଥିଲା । ଏହାପରେ ପହିଲି କନିକାରାଜାଙ୍କର ଘର୍ଷଣଭୋଗ ସରିବା ପରେ ପାଳିଆ ସେବାୟତଙ୍କ ପକ୍ଷରୁ ଖେଚୁଡି ଅନ୍ନନୀତି ଭୋଗ ଲାଗି ହୋଇଥିଲା । ସଂଧ୍ୟାରୁ ରାତି ୧୨ଟା ଯାଏଁ ଚତୁର୍ଥ ପ୍ରହର ଘର୍ଷଣଭୋଗ କରାଯିବ । ରାତି ଗୋଟାଏରେ ସୁନାବେଶ ଓ ଭୋର ସାଢ଼େ ୪ଟାରେ ମହାଦୀପ ଉଠିବ ।

ପୁରୀ ଲୋକନାଥ ପୀଠର ଅଲୌକିକ ମହିମା ରହିଛି । କିମ୍ବଦନ୍ତୀ ଅନୁସାରେ ତ୍ରେତୟା ଯୁଗରେ ବନବାସ ସମୟରେ ଲୋକନାଥ ପୀଠକୁ ଆସିଥିଲେ ମହାପ୍ରଭୁ ଶ୍ରୀରାମ । ସେ ସମୟରେ ଏହି ସ୍ଥାନରେ ଏକ ଉଜ୍ଜ୍ୱଳ ଆଲୋକକୁ ଦେଖି ରାମଚନ୍ଦ୍ର ତୀର ମାରିଥିଲେ । ଏହି ତୀର ମାଡ଼ରେ ସେଠାରୁ ଜଳ ନିଷ୍କାସନ ହେବା ସହ ତୀରଟି ସୁବର୍ଣ୍ଣ ପାଲଟି ଥିଲା । ପରେ ରାମଚନ୍ଦ୍ର ଆଶ୍ଚର୍ଯ୍ୟ ଚକିତ ହେବା ସହ ପଥର ଲିଙ୍ଗ ଉପରେ ଲାଉ ରଖି ଶୈବ ଉପାସନା କରିବା ସହିତ ହରଙ୍କୁ ଭେଟିଥିଲେ । ଏଣୁ ଏଠାରେ ମହାଶିବରାତ୍ରିରେ ହରିହର ଭେଟର ପରମ୍ପରା ପାଳିତ ହୋଇ ଆସୁଛି । ଏହା ପୂର୍ବରୁ ଏକାଦଶୀ ଦିନ ବର୍ଷକରେ ଥରେ ମାତ୍ର ଶୈବଲିଙ୍ଗ ଦର୍ଶନର ବିଧି ରହିଛି । ଏହି ଶୈବପୀଠ ଜ୍ୟୋର୍ତିଲିଙ୍ଗ ହୋଇନଥିବା ସତ୍ୱେ ଏହାର ମହତ୍ଵ ଓ ଲୋକ ବିଶ୍ୱାସ ଏହି ପୀଠକୁ ଆତ୍ମାଲିଙ୍ଗର ଆଖ୍ୟା ପ୍ରଦାନ କରିଛି ।

Leave a Reply