ଗଜପତିରେ ଆତଙ୍କ ରଚିବା ପରେ ରାୟଗଡାରେ ପଶିଲା ମହାରାଷ୍ଟ୍ର ମହାବଳ

ରାୟଗଡା: ଗଜପତିରୁ ଗୁଣୁପୁର । ରାୟଗଡ଼ା ଜିଲ୍ଲାରେ ପଶିଲା ମହାବଳ । ମହାବଳ ବାଘଟି ମହାରାଷ୍ଟ୍ର ଚନ୍ଦ୍ରପୁର ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନରୁ ଆସି ଗଜପତିରେ ବୁଲୁଥିବାବେଳେ ଏବେ ରାୟଗଡ଼ା ଜଙ୍ଗଲକୁ ଯାଇଥିବା ସୂଚନା ମିଳିଛି । ଗତକାଲି ସଂନ୍ଧ୍ୟାରେ ମହାବଳଟି ଆର.ଉଦୟଗିରି ସୀମା ଅତିକ୍ରମ କରି ରାୟଗଡାରେ ପ୍ରବେଶ କରିଥିବା ଗଜପତି ବନ ବିଭାଗ ସନ୍ଦେହ କରୁଛି । ଏଥିପାଇଁ ଗୁଣୁପୁର ରେଞ୍ଜକୁ ସତର୍କତା ଜାରି କରାଯାଇଛି ।

ଗଜପତି ଓ ରାୟଗଡ଼ା ସୀମାରେ ପାଟ୍ରୋଲିଂକୁ ବଢାଇବା ସହ ଲୋକଙ୍କୁ ସତର୍କ କରୁଛି ବନ ବିଭାଗ । ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ସହ ଜଙ୍ଗଲକୁ ନଯିବାକୁ ପରାମର୍ଶ ଦିଆଯାଇଛି । ସ୍ଥାନୀୟ ଅଞ୍ଚଳରେ ଲୋକ ଆତଙ୍କିତ ହୋଇପଡ଼ିଥିବାବେଳେ ବାଘ ଉପରେ ନଜର ରଖିଛି ସ୍ବତନ୍ତ୍ର ଟିମ୍ । ବାଘର ପାଦଚିହ୍ନ ଓ ଟ୍ରାପ କ୍ୟାମେରା ଫୁଟେଜ ଜାତୀୟ ଓ୍ବାଇଲ୍ଡ ଲାଇଫ ବିଭାଗ ଡେରାଡୁନକୁ ପଠାଇବା ପରେ, ଏହା ଏକ ପୁରୁଷ ବାଘ ବୋଲି ଜଣାପଡିଛି ।

ମହାବଳ ବାଘଟି ମହାରାଷ୍ଟ୍ର ଚନ୍ଦ୍ରପୁର ବ୍ରହ୍ମପୁରୀ ଫରେଷ୍ଟ ଡିଭିଜନରୁ ଆସିଥିବା ଜଣାପଡିଛି । ୨୦୨୧ ମସିହାରେ ଏହା ସେଠାକାର କ୍ୟାମେରା ଟ୍ରାପରେ ଆସିଥିଲା । ବାଘଟି ୪ଟି ରାଜ୍ୟର ପାଖାପାଖି ୭୫୦ କିଲୋମିଟର ଅତିକ୍ରମ କରି ଓଡ଼ିଶାରେ ପହଞ୍ଚିଛି । ପ୍ରଥମେ ଛତିଶଗଡ଼, ଏହା ପରେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଦେଇ ଓଡ଼ିଶାରେ ପହଞ୍ଚିଛି । ହୁଏତ ଏହି ମହାବଳ ବାଘଟି ନିଜସ୍ଵ ଟେରିଟୋରୀ ସୃଷ୍ଟି କରିବାକୁ କିମ୍ବା ସାଥୀ ଖୋଜିବାକୁ ଓଡ଼ିଶା ଆସି ଥାଇପାରେ । ଓଡ଼ିଶାରେ ଭଲ ପରିବେଶ ଥିବାରୁ ବାଘଟି ଆସିଥାଇପାରେ ।