ବିଦ୍ରୋହୀଙ୍କ ଉପରେ ବର୍ଷିଲେ ଆଦିତ୍ୟ ଠାକରେ; କହିଲେ ମୁମ୍ବାଇ ଆସି ସାହସ ଦେଖାଅ

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ନୂଆ ନୂଆ ଘଟଣାକ୍ରମ ସାମ୍ନାକୁ ଆସୁଛି  । ଅସନ୍ତୁଷ୍ଟ ବିଦ୍ରୋହୀ ଏକନାଥ ସିନ୍ଦେ ବିଜେପି ସହ ମିଶି ସରକାର ଗଢିବାକୁ ଜୋରଦାର ପ୍ରସ୍ତୁତି କରୁଛନ୍ତି  । ଏମିତିକି ଉଦ୍ଧବଙ୍କ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି । ଏହାରି ମଧ୍ୟରେ ଉଦ୍ଧବଙ୍କ ପୁଅ ଆଦିତ୍ୟଙ୍କ ଏକ ବୟାନ ସାମ୍ନାକୁ ଆସିଛି  । ଆଦିତ୍ୟ ବିଦ୍ରୋହୀଙ୍କୁ ଟାର୍ଗେଟ କରି ବର୍ଷିଛନ୍ତି  । ଯୁବ ଶିବସେନାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକକୁ ସମ୍ବୋଧିତ କରିବା ସମୟରେ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ଆମର ପ୍ରକୃତ ଶକ୍ତି ହେଉଛନ୍ତି ଶିବସୈନିକ  । ଯେଉଁମାନେ ଗତଦିନରେ ମୋ ଗାଡିରେ ବସୁଥିଲେ ଆଜି ସେମାନେ ଆମକୁ ଛାଡି ଚାଲି ଯାଇଛନ୍ତି  । ଉଦ୍ଧବ ଠାକରେ ଅସୁସ୍ଥ ଅଛନ୍ତି ଏବଂ ଏପରି ସମୟରେ ଏହି ସ୍ଥିତି ଆମ ଉପରକୁ ଆସିଛି  । ଆଜି ବାଲାସାହେବ ଠାକରେ କିମ୍ବା ଆନନ୍ଦ ଦିଘେ ଯଦି ଥାନ୍ତେ ତାଙ୍କ ସାମ୍ନାରେ ଏମିତି ସବୁ ହୋଇଥିଲେ ସେମାନେ ବିଦ୍ରୋହୀଙ୍କୁ ନିଜ ଭାଷାରେ ବୁଝାଇଥାନ୍ତେ  ।

ସେ ଆଗକୁ କହିଛନ୍ତି, ମୋର ଦିଲାୱାଲେ ଫିଲ୍ମର ଏକ ଡାଇଲଗ ମନେପଡୁଛି ‘ହମ ସରିଫ କ୍ୟା ହୁଏ, ସାରି ଦୁନିଆ ବଦମାସ ହୋ ଗେଇ’  । ସେ ଯୁବ ସେନାର କାର୍ଯ୍ୟକର୍ତ୍ତାଙ୍କୁ କହିଥିଲେ ମୁଁ ରାସ୍ତାକୁ ଓହ୍ଲାଉଛି, କିନ୍ତୁ ଆପଣମାନେ ଘରକୁ ଘର ଯାଇ ବିଦ୍ରୋହୀଙ୍କ ସତକୁ ଲୋକମାନଙ୍କ ପାଖରେ ପହଞ୍ଚାନ୍ତୁ। ଆଦିତ୍ୟ ଆଗକୁ କହିଥିଲେ, ଆଜି ଏ ସମସ୍ତ ନୂଆ ପିଢୀ ସାହସ ଦେଖାଇ ଏଠାକୁ ଆସିଛନ୍ତି  । ମୁଁ ଆପଣମାନଙ୍କ ସହ ଅଛି  । ଯେତିକି ଭଲପାଇବା ଏବଂ ବିଶ୍ୱାସ ବିଦ୍ରୋହୀଙ୍କ ଉପରେ କରିଥିଲି ସେତେ କାହା ଉପରେ କରିନାହିଁ  । ଯେଉଁ ବିଭାଗ ଗତ ୫୦ ବର୍ଷ ହେବ କୌଣସି ମୁଖ୍ୟମନ୍ତ୍ରୀ ଛାଡିନଥିଲେ, ସେ ବିଭାଗ ତାଙ୍କୁ ଦିଆଯାଇଥିଲା  । ଏହା ପରେ ବି ସେମାନେ କହିବା ପାଇଁ ସାହସ କଲେ ନାହିଁ ଏବଂ ସୁରଟ ଯାଇ ବିଦ୍ରୋହ କଲେ ।

ଯେଉଁ ରାଜ୍ୟର ସ୍ଥିତି ବନ୍ୟା କାରଣରୁ ବିକଟ ରହିଛି ସେଇ ରାଜ୍ୟରେ ଏମାନେ ଯାଇ ମଉଜ ମସଲିଜ କରୁଛନ୍ତି  । ଯଦି ସାହସ ଥିଲା ମୁମ୍ବାଇରେ ରହି କହିଥାନ୍ତେ  । ଏବେ ତ ଏମାନଙ୍କୁ ସିଆରପିଏଫର ସୁରକ୍ଷା ଦିଆଯାଇଛି  । ଏହି ସୁରକ୍ଷା ଆମର କାଶ୍ମୀର ପଣ୍ଡିତଙ୍କୁ ଦିଆଯିବାର ଥିଲା  । ଏହାର ଦାବି ଆମେ ଗତ ମାସରେ ମଧ୍ୟ କରିଥିଲୁ  । କିନ୍ତୁ ହୀନ ରାଜନୀତି ପାଇଁ ଆମ କଥାକୁ ଗୁରୁତ୍ବ ଦିଆଯାଇନଥିଲା ଆଉ ଏବେ ନିଜ ରାଜନୈତିକ ଇଚ୍ଛା ପୂରଣ ପାଇଁ ସୁରକ୍ଷା ଦିଆଯାଉଛି ବୋଲି ଆଦିତ୍ୟ ଠାକରେ କହିଛନ୍ତି  ।