କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଗିରଫ, ମହଙ୍ଗା ପଡ଼ିଲା ଉଦ୍ଧବଙ୍କ ନାଁରେ ଆପତ୍ତିଜନକ ମନ୍ତବ୍ୟ

1 min read

ମୁମ୍ବାଇ: କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଗିରଫ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ନାଁରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ରାଣେଙ୍କ ନାଁରେ ଶିବସେନା ପକ୍ଷରୁ ୪ଟି ଏତଲା ଦିଆଯାଇଥିଲା । ଏତଲା ଆଧାରରେ ନାରାୟଣ ରାଣେଙ୍କୁ ଗିରଫ କରିଛି  । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚାପୁଡା ମାରିବାକୁ କହି ଚର୍ଚ୍ଚାରେ ଅଛନ୍ତି ରାଣେ । କୋଙ୍କଣର ଚିପୁଲୁନଠାରେ ଥିବା ରାଣେଙ୍କୁ  ନାସିକ ପୋଲିସ ଗିରଫ କରିଥିବା ନେଇ ସୂଚନା ମିଳିଛି ।

ସେପଟେ ରାଣେଙ୍କ ଆଗୁଆ ଜାମିନ ଖାରଜ ହୋଇଛି । କୋଙ୍କଣ ଅଞ୍ଚଳରେ ଜନୌଷଧି ରାଲିରେ ଯୋଗ ଦେବା ଅବସରରେ ରାଣେ ଏହା କହିବା ପରେ ଆରମ୍ଭ ହୋଇଛି ବିବାଦ । ରାଣେ କହିଥିଲେ- ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସ୍ବାଧୀନତାର ବର୍ଷ ଜାଣନ୍ତି ନାହିଁ । ଠାକରେ ଭାଷଣ ଦେବା ବେଳେ ଏହି ବିଷୟ ଜାଣିବା ଉଚିତ । ଯଦି ଏହି ଅବସରରେ ସେଠାରେ ନିଜେ ଉପସ୍ଥିତ ଥାନ୍ତେ ତେବେ ଠାକରେଙ୍କୁ ସେ ଚାପୁଡା ମାରିଥାନ୍ତେ ବୋଲି କହିଛନ୍ତି ରାଣେ । ରାଣେ ଏହା କହିବା ପରେ ଶିବସେନା କର୍ମୀ ଉତକ୍ଷିପ୍ତ ହୋଇଛନ୍ତି ।

ସେପଟେ ରାଣେଙ୍କ ବିରୋଧରେ ବିଭିନ୍ନ ଥାନାରେ ୪ଟି ମାମଲା ରୁଜୁ ହୋଇଛି । ପୁଣେ, ନାସିକ, ମହାଦ ଓ ରାଇଗଡ ଜିଲ୍ଲାରେ ଏସବୁ ମାମଲା ରୁଜୁ ହୋଇଛି । ପ୍ରତିବାଦରେ ନାସିକ ସ୍ଥିତ ବିଜେପି କାର୍ଯ୍ୟାଳୟ ଉପରକୁ ଶିବସେନା କର୍ମୀ ଟେକାପଥରମାଡ କରିଛନ୍ତି । ସ୍ଥିତି ପ୍ରତି ସଜାଗ ଦୃଷ୍ଟି ଦେବା ଲାଗି ନାସିକ ପୋଲିସ କମିଶନର ଦୀପକ ପାଣ୍ଡେ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରସଙ୍ଗକୁ ନେଇ ମୁମ୍ବାଇରେ ବିଜେପି- ଶିବସେନା କର୍ମୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।

Leave a Reply