spot_img

Latest Posts

ମହାରାଷ୍ଟ୍ର ଓ କର୍ଣ୍ଣାଟକ ମଧ୍ୟରେ ବଢ଼ିଲା ବସ୍ ବିବାଦ

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ର ଓ କର୍ଣ୍ଣାଟକ ମଧ୍ୟରେ ବଢ଼ିଲା ବସ୍ ବିବାଦ। ମହାରାଷ୍ଟ୍ର ରାଜ୍ଯ ପରିବହନ ନିଗମ ବା ଏମଏସଆରଟିସିର ଏକ ବସ ଉପରେ କର୍ଣ୍ଣାଟକ ଚିତ୍ରଦୁର୍ଗରେ ନବନିର୍ମାଣ ସେନା ପକ୍ଷରୁ ଆକ୍ରମଣ ହେବା ପରେ କର୍ଣ୍ଣାଟକକୁ ସମସ୍ତ ସରକାରୀ ବସ୍ ଚଳାଚଳ ବନ୍ଦ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ରାଜ୍ଯ ପରିବହନ ମନ୍ତ୍ରୀ ପ୍ରତାପ ସରନାଏକ। ଆକ୍ରମଣର ସମ୍ମୁଖୀନ ହୋଇଥିବା ବସଟି ବେଙ୍ଗାଳୁରୁରୁ ମୁମ୍ବାଇ ଆସୁଥିବାବେଳେ କନ୍ନଡ ସପକ୍ଷବାଦୀ କର୍ମୀମାନେ ଆକ୍ରମଣ କରିଥିଲେ। ବସର ଡ୍ରାଇଭରଙ୍କ ମୁହଁରେ ବି କର୍ମୀମାନେ କଳା ବୋଳିଦେଇଥିଲେ। ଏହି ଘଟଣାରେ କର୍ଣ୍ଣାଟକରେ ଆକ୍ରମଣକାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେପଟେ କର୍ଣ୍ଣାଟକ ବେଲଗାଭିରେ କର୍ଣ୍ଣାଟକ ସଡ଼କ ପରିବହନ ନିଗମର ଏକ ବସର କଣ୍ଡକ୍ଟର ଜଣେ ଯୁବତୀଙ୍କୁ ମରାଠୀ ଭାଷାରେ ଉତ୍ତର ନଦେବାରୁ ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ସେହି କଣ୍ଡକ୍ଟରଙ୍କ ବିରୋଧରେ ଏପରିକି ପୋକ୍ସୋ ମାମଲା ବି ରୁଜୁ ହୋଇଥିଲା। କଣ୍ଡକ୍ଟରଙ୍କ ଅଭିଯୋଗ ଥିଲା- ସେ ଯୁବତୀଙ୍କୁ କନ୍ନଡରେ କହିବା ଲାଗି ଅନୁରୋଧ କରିଥିଲେ। ମାତ୍ର ଯୁବତୀ ଜଣକ ମରାଠୀରେ କହିବା ସହ ଉତକ୍ଷିପ୍ତ ହୋଇଥିଲେ। ଏହାକୁ ନେଇ ବିବାଦ ହୋଇଥିଲା ଏବଂ କଣ୍ଡକ୍ଟରଙ୍କୁ ଗିରଫ କରାଯାଇଥିଲା। କର୍ଣ୍ଣାଟକର ବେଲଗାଭି ରହିଛି ମହାରାଷ୍ଟ୍ର ସୀମା ନିକଟରେ ଏବଂ ସେଠାରେ ବହୁଳ ଭାବେ ମରାଠୀ ବାସ କରନ୍ତି। ଏହି ଜିଲ୍ଲାକୁ ମହାରାଷ୍ଟ୍ର ସହ ମିଶାଇବା ଲାଗି ଦାବି ଜୋର ଧରିଛି। ମରାଠୀ ସମ୍ପ୍ରଦାୟଙ୍କ ଦାବିକୁ କନ୍ନଡ ଭାଷାଭାଷୀ ବିରୋଧ କରୁଛନ୍ତି।

 

 

Latest Posts

Don't Miss