ବଟି ଆଦାୟ ମାମଲା: ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଦେଶମୁଖ

ମୁମ୍ବାଇ: ବଟି ଆଦାୟ ମାମଲାରେ ମହାରାଷ୍ଟ୍ର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଲେ କୋର୍ଟ ।  ଦେଶମୁଖଙ୍କୁ ଅଧିକ ୯ ଦିନି ରିମାଣ୍ଡରେ ନେବାକୁ ଇଡି ପକ୍ଷରୁ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିବା ସହ ଦେଶମୁଖଙ୍କୁ ହାଜତକୁ ପଠାଇ ଦେଇଛନ୍ତି ।

୧୨ ଘଣ୍ଟାର ପଚରାଉଚରା ପରେ ଗତ ସୋମବାର ରାତିରେ ଇଡି ଦେଶମୁଖଙ୍କୁ ଗିରଫ କରିଥିଲା । ମଙ୍ଗଳବାର କୋର୍ଟ ଦେଶମୁଖଙ୍କୁ ୬ ତାରିଖ ଅର୍ଥାତ ଆଜି ପର୍ଯ୍ୟନ୍ତ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଥିଲେ ।  କେବଳ ଦେଶମୁଖ ନୁହେଁ ଏହି ମାମଲାରେ ଇଡି କୁନ୍ଦନ ସିନ୍ଧେ ଏବଂ ସଞ୍ଜୀବ ପାଲାଣ୍ଡେଙ୍କୁ ମଧ୍ୟ ଗିରଫ କରିଛି ।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚରେ ପରମବୀର ସିଂଙ୍କୁ ମୁମ୍ବାଇ ପୋଲିସର କମିଶନର ପଦରୁ ହଟାଇ ହୋମଗାର୍ଡ ଡିଜି କରାଯାଇଥିଲା । ଏହାପରେ ପରମବୀରଙ୍କ ଏକ ଚିଠି ପଦାକୁ ଆସିଥିଲା । ଚିଠିଟି ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଲେଖିଥିଲେ । ଚିଠିରେ ସେ ଦାବି କରିଥିଲେ ଯେ, ଅନୀଲ ଦେଶମୁଖ ଗୃହମନ୍ତ୍ରୀ ଥିବାବେଳେ ସଚିନ୍ ଓ୍ବାଜେଙ୍କୁ ପ୍ରତିମାସ ୧୦୦ କୋଟି ଦେବାକୁ ଦାବି କରିଥିଲେ । ଏହାସହ ପୋଲିସ ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ ପାଇଁ ଦେଶମୁଖ ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା ।

୫ ଥର ସମନ ପରେ ଗତ ସୋମବାର ଇଡିରେ ହାଜର ହୋଇଥିଲେ ଦେଶମୁଖ । ଗୃହମନ୍ତ୍ରୀ ଥିବା ବେଳେ ଦେଶମୁଖ ପଦବୀର ଅପବ୍ୟବହାର କରି ପୋଲିସ ଅଧିକାରୀ ସଚିନ ଓ୍ବାଜେଙ୍କୁ ପ୍ରତିମାସ ୧୦୦ କୋଟି ଦେବାକୁ ଦାବି କରିବା ଓ ତାଙ୍କୁ ବରଖାସ୍ତ କରିବା, ବିଭିନ୍ନ ବାର୍ ଓ ରେଷ୍ଟୁରାଣ୍ଟରୁ ୪.୭୦ କୋଟି ଟଙ୍କା ବଟି ଆଦାୟ କରିବାକୁ ନେଇ ଇଡି ମାମଲା ରୁଜୁ କରି ତଦନ୍ତ ଚଲାଇଛି ।

Leave a Reply