ମହାରାଷ୍ଟ୍ର ବିଧାନସଭା ନିର୍ବାଚନ: ଗାଦିଚ୍ୟୁତ କରିପାରେ ଆଞ୍ଚଳିକ ସମସ୍ୟା
1 min readଆସନ୍ତା ୨୧ରେ ମହାରାଷ୍ଟ୍ରରେ ବିଧାନସଭା ଆସନ ଲାଗି ହେବ ଭୋଟ ଗ୍ରହଣ । ଯାହାକୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ । ବିଜେପି ରାଜ୍ୟରେ ପୁଣି ସରକାର ଗଠନ ନେଇ ଦମ୍ଭୋକ୍ତି ଦେଖାଇ ଥିବାବେଳେ ଗଡ଼ ଫେରିପାଇବାକୁ ଚେଷ୍ଟା ଚଳାଇଛି କଂଗ୍ରେସ । ଗତ ୨୦୧୪ ବିଧାନସଭା ନିର୍ବାଚନରେ ବିଜେପି ଏକାକୀ ନିର୍ବାଚନ ଲଢି ୧୨୨ ଆସନ ଜିତିଥିବାବେଳେ ୬୩ ଆସନ ଜିତିଥିବା ଶିବସେନା ସହ ମିଶି ସରକାର ଗଠନ କରିଥିଲା । ମହାରାଷ୍ଟ୍ରରେ ଦେବେନ୍ଦ୍ର ଫଡନଭିସ୍ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ତେବେ ଚଳିତ ବିଧାନସଭା ନିର୍ବାଚନରେ ବିଜେପି ଓ ଶିବସେନା ମିଳିତଭାବେ ନିର୍ବାଚନ ଲଢୁଥିବାବେଳେ କଂଗ୍ରେସ ଓ ଏନ୍ସିପି ମେଣ୍ଟ ସହ ସିଧାସଳଖ ମୁକାବିଲ ହେବ ବୋଲି କୁହାଯାଉଛି । ବିଜେପି ଧାରା ୩୭୦ ଉଚ୍ଛେଦ, ତିନି ତଲାକ ଆଇନ୍ ଓ ଫଡନଭିସ୍ଙ୍କ ନିର୍ମଳ ତଥା ଦୁର୍ନୀତି ମୁକ୍ତ ଛବିକୁ ନେଇ ଜୋରଦାର ପ୍ରଚାର ଚଳାଇଛି । ବିରୋଧୀ କଂଗ୍ରେସ ମାନ୍ଦାବସ୍ଥା, ବେରୋଜଗାର, କୃଷିଋଣ ଛାଡ଼ କରାନଯିବା ଭଳି ପ୍ରସଂଗକୁ ଅସ୍ତ୍ର କରିଛି । ତେବେ କୃଷି ସମସ୍ୟ, ମରୁଡ଼ି, ପିଆଜ ଦର ହ୍ରାସ, କୃଷକ ଆତ୍ମହତ୍ୟା, ପାଣିର ଅଭାବ ବନ୍ୟା ସମୟରେ ରିଲିଫ ବଣ୍ଟନରେ ବିଳମ୍ବ ଭଳି ଆଞ୍ଚଳିକ ପ୍ରସଂଗ ନେଇ ଭୋଟରଙ୍କ ମତଦାନ ବଡ଼ ଧରଣର ପରିବର୍ତ୍ତନ ଘଟାଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ।
ପାଣିର ଅଭାବ ଓ ମରୁଡ଼ି
୧୯୭୧ ପରେ ରାଜ୍ୟରେ ବଡ଼ ଧରଣର ଜଳାଭାବ ଦେଖାଯାଇଛି । ୮୬ ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ରାଜ୍ୟରେ ମୋଟ ୨୭ ହଜାର ୫ଶହ ଗାଁ ଲୋକ ପ୍ରଭାବିତ ହୋଇଛନ୍ତି । ଡ୍ୟାମ୍ଗୁଡ଼ିକର ନିର୍ଦ୍ଧାରିତ କ୍ଷମତାର ୬.୬୧% ଜଳ ସଂରକ୍ଷିତ ହୋଇରହିଛି । ମୌସୁମୀ ବର୍ଷାର ବିଳମ୍ବ ଯୋଗୁଁ ରାଜ୍ୟର ଡ୍ୟାମଗୁଡ଼ିକରେ କ୍ଷମତାର ୬.୬୧% ଜଳ ସଂରକ୍ଷିତ ହୋଇରହିଛି । ମରାଟ୍ଟଓ୍ୱାଡା ଅଞ୍ଚଳର ୮ ମୁଖ୍ୟ ଡ୍ୟାମ୍ ଶୁଖିଲା ପଡ଼ିଛି ।
ପିଆଜ ଦର ହ୍ରାସ
ପିଆଜ ଦରରେ ବଡ଼ ଧରଣର ହ୍ରାସ ଘଟିଛି । କିଲୋ ପ୍ରତି ଚାଷୀଙ୍କୁ ୯୦ ପଇସାରୁ ୪ ଟଙ୍କା ପର୍ଯ୍ୟନ୍ତ ଦାମ ମିଳୁଛି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି । ରାଜରାସ୍ତାରେ ପିଆଜ ଫୋପାଡ଼ିବା ସହ ଚାଷୀ ମଣ୍ଡିରେ ପିଆଜ ନବିକି ଛାଡ଼ି ଚାଲିଯାଉଥିବା ମଧ୍ୟ ଦେଖିବାକୁ ମିଳିଛି ।
ବେକାରୀ ସମସ୍ୟା
ରାଜ୍ୟରେ ବେକାରୀ ସମସ୍ୟାକୁ ନେଇ ମଧ୍ୟ ଯୁବ ବର୍ଗଙ୍କ ମଧ୍ୟରେ ଅସନ୍ତୋଷ ପୁଞ୍ଜିଭୂତ । ମୁଦ୍ରା ଓ ସ୍କିଲ୍ ଇଣ୍ଡିଆ ଭଳି ଯୋଜନାକୁ ପ୍ରତ୍ୟାଖାନ କରିବା ସହ ବେକାରୀ ଭତ୍ତା ପାଇଁ ଦାବି ଜଣାଇଛନ୍ତି । ଅପରପକ୍ଷରେ ରାଜ୍ୟରେ ୧.୭୫ ଲକ୍ଷ ସରକାରୀ ପଦବୀ ଖାଲିପଡ଼ିଛି ।
ଶିଳ୍ପ ସଂସ୍ଥା ବନ୍ଦ
ସମଗ୍ର ଦେଶରେ ଏଯାବତ୍ ୬ଲକ୍ଷ ୮୩ ହଜାର ୩୧୭ ଶିଳ୍ପସଂସ୍ଥା ବନ୍ଦ ହୋଇଥିବାବେଳେ କେବଳ ମହାରାଷ୍ଟ୍ରରେ ୧.୪୨ ଲକ୍ଷ ଶିଳ୍ପ ସଂସ୍ଥା ବନ୍ଦ ହୋଇଛି ।
ବନ୍ୟା, ରିଲିଫ ବଣ୍ଟନରେ ବିଳମ୍ବ
ଚଳିତ ବର୍ଷର ବନ୍ୟାରେ ମହାରାଷ୍ଟ୍ରରେ ୨୯ ଜଣଙ୍କ ମୃତ୍ୟୁ ହୋଇଛି । କୋହ୍ଲାପୁର, ସତାରା ଓ ପୁଣେ ଭିଳ ପ୍ରମୁଖ ଅଞ୍ଚଳରେ ରିଲିଫ ବଣ୍ଟନରେ ବିଳମ୍ବ ହୋଇଥିବାକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଏହାବାଦ୍ ଫଡନବୀସ ସରକାର ସେଭଳି କିଛି ବଡ଼ ଧରଣର ଘୋଷଣା ଲୋକଙ୍କ ପାଇଁ କରିନଥିବା ବିରୋଧୀ ଅଭିଯୋଗ ଆଣିଛନ୍ତି । ')}