ସିଗାରେଟ ଟାଣୁଥିଲେ ମହିଳା, ଜଣେ ବ୍ୟକ୍ତି ଅନାଇବାରୁ ତାଙ୍କୁ ଛୁରି ଭୁସି କଲେ ହତ୍ୟା

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ରରେ ଆଚମ୍ବିତ କରିଦେବା ଭଳି ଘଟଣା। ପାନ ଦୋକାନରେ ସିଗାରେଟ ଟାଣୁଥିଲେ ମହିଳା। ସେଠାରେ ଥିବା ଜଣେ ବ୍ୟକ୍ତି ଅନାଇବାରୁ ତାଙ୍କୁ ଛୁରି ଭୁସି ହତ୍ୟା କରିଦେଲେ । ନାଗପୁର ମାନେଓ୍ବାଡ଼ା ସିମେଣ୍ଟ ରୋଡରେ ଥିବା ପାନ ଦୋକାନରେ ଘଟିଛି ଏଭଳି ଏକ ଚାଞ୍ଚଲ୍ଯକର ଘଟଣା। ପାନ ଦୋକାନରେ ସିଗାରେଟ ଟାଣୁଥିଲେ ଜଣେ ୨୪ ବର୍ଷୀୟା ମହିଳା । ମହିଳାଙ୍କୁ ସିଗାରେଟ ଟାଣୁଥିବା ଅବସ୍ଥାରେ  ଜଣେ ବ୍ୟକ୍ତି ତାଙ୍କୁ ଅନାଇଥିଲେ। କାହିଁକି ଅନାଇଲେ ବୋଲି ମହିଳା ଜଣକ ଉକ୍ତ ବ୍ୟକ୍ତିଙ୍କୁ ହତ୍ୟା କରିଛନ୍ତି । ହତ୍ୟା ଘଟଣାରେ ମହିଳା ଓ ମହିଳାଙ୍କ ୨ ଜଣ ସାଙ୍ଗକୁ ଗିରଫ କରିଛି ପୋଲିସ। ମୃତକ ହେଲେ ୨୮ ବର୍ଷୀୟ ରଞ୍ଜିତ ରାଥୋଡ। ଶନିବାର ରାତିରେ ଘଟିଛି ହତ୍ୟାକାଣ୍ଡ ।

୪ଜଣ ପିଲାଙ୍କ ବାପା ଥିବା ରଞ୍ଜିତ ପାନ ଦୋକାନ ଯାଇଥିଲେ। ସେହି ସମୟରେ ଅଭିୟୁକ୍ତ ଜୟଶ୍ରୀ ପନ୍ଧାରେ ପାନ ଦୋକାନରେ ପହଞ୍ଚିଥିଲେ ଓ ସିଗାରେଟ ପିଇ ଥିଲେ। ରଞ୍ଜିତ ମଧ୍ୟ ସିଗାରେଟ ପିଇଥିଲେ। ରଞ୍ଜିତ ଜୟଶ୍ରୀଙ୍କୁ ଅନାଇବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଉଭୟ ଗାଳି ଗୁଲଜ ମଧ୍ୟ କରିଥିଲେ। ରଞ୍ଜିତ ଫୋନ ବାହାର କରି ଜୟଶ୍ରୀଙ୍କ ଭିଡିଓ କରିଥିଲେ । ଜୟଶ୍ରୀ ରାଗରେ ନିଜର ୨ଜଣ ସାଙ୍ଗ ଆକାଶ ରାଉତ ଓ ଜିତୁ ଜାଘବଙ୍କୁ କଲ କରି ଡାକିଥିଲେ। ସେତେବେଳେ ରଞ୍ଜିତ ସେଠାରୁ ଚାଲିଯାଇଥିଲେ। କିନ୍ତୁ ପିଛା କରି ରଞ୍ଜିତକୁ ଅତି ନିର୍ମମ ଭାବେ ଛୁରୀ ଭୁସି ହତ୍ୟା କରିଥିଲେ ଜୟଶ୍ରୀ ଓ ତାଙ୍କ ଦୁଇ ସାଙ୍ଗ। ତେବେ ପୂରା ଘଟଣା ସିସିଟିଭି ରେକର୍ଡ ରହିଛି। ଯାହା ଆଧାରରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ।