ଶିବସେନାର ୫୩ ବିଧାୟକଙ୍କୁ ବିଧାନସଭା ସଚିବଙ୍କ କାରଣ ଦର୍ଶାଅ ନୋଟିସ୍

ମୁମ୍ବାଇ: ମହାରାଷ୍ଟ୍ର ରାଜନୈତିକ ନାଟକ ଏବେବି ସରିନି । ଶିବସେନା ସହ ବିଦ୍ରୋହ କରି ଏକନାଥ ସିନ୍ଦେ ବିଜେପି ସହ ମିଶି ସରକାର ଗଢିବା ପରେ ଆଶା କରାଯାଉଥିଲା ମହାରାଷ୍ଟ୍ର ନାଟକରେ ପୂର୍ଣ୍ଣଚ୍ଛେଦ ପଡିବ । ହେଲେ ଏବେ ଆଉ ଏକ ନାଟକ ଦେଖିବାକୁ ମିଳିଛି । ମହାରାଷ୍ଟ୍ର ବିଧାନସଭା ସଚିବ ଶିବସେନାର ମୋଟ ୫୫ ବିଧାୟକଙ୍କ ମଧ୍ୟରୁ ୫୩ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଏଥିମଧ୍ୟରୁ ୩୯ ବିଧାୟକ ଏକନାଥ ସିନ୍ଦେଙ୍କ ଗୋଷ୍ଠୀର ଏବଂ ୧୪ ବିଧାୟକ ଉଦ୍ଧବ ଠାକରେଙ୍କ ଗୋଷ୍ଠୀର ଅଛନ୍ତି । ଠାକରେ ଗୋଷ୍ଠୀର ୧୪ ବିଧାୟକଙ୍କ ମଧ୍ୟରୁ ସନ୍ତୋଷ ବାଙ୍ଗର ୪ ଜୁଲାଇରେ ଆସ୍ଥା ଭୋଟ ଦିନ ଶିନ୍ଦେଙ୍କ ଗୋଷ୍ଠୀରେ ସାମିଲ ହୋଇଯାଇଥିଲେ ।

ଦୁଇ ଗୋଷ୍ଠୀ ଜଣେ ଅନ୍ୟ ଜଣଙ୍କ ଉପରେ ଆରୋପ ପ୍ରତ୍ୟାରୋପ କରିଛନ୍ତି । ୩  ଜୁଲାଇରେ ବିଧାନସଭା ବାଚସ୍ପତି ନିର୍ବାଚନ ଏବଂ ୪ ଜୁଲାଇରେ ଆସ୍ଥା ଭୋଟ ସମୟରେ ଦଳ ହ୍ୱିପର ଅବମାନନା କରିବା ଅଭିଯୋଗରେ ଗୋଟିଏ ପକ୍ଷ ଅନ୍ୟ ପକ୍ଷର ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ଦାବି କରିଛନ୍ତି । ଦଳ ଅଦଳ ବଦଳ ଆଇନ ଆଧାରରେ ବିଧାନସଭା ପକ୍ଷରୁ ଏହି ନୋଟିସ୍ ଜାରି କରାଯାଇଛି । ସୂଚନାଥାଉକି, ସିନ୍ଦେ ଗୋଷ୍ଠୀ ଲଗାତାର ଦାବି କରିଆସୁଛନ୍ତି ଯେ ଆମେ ପ୍ରକୃତ ଶିବସେନା ଅଟୁ । ଆମ ପାଖରେ ସଦସ୍ୟଙ୍କ ସଂଖ୍ୟା ଅଧିକ ରହିଛି ତେଣୁ ଦଳ ଉପରେ ଆମର ଅଧିକାର ରହିଛି ।

ଅନ୍ୟପକ୍ଷରେ ଶିବସେନା ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜର ଅଧିକାର ଛାଡିବାକୁ ନାରାଜ । ସେ କହିଛନ୍ତି ଦଳ ଉପରେ କେବଳ ମୋର ଅଧିକାର । କାରଣ ଦଳ ମୋ ପିତା ଗଠନ କରିଥିଲେ । ତେଣୁ ଯାହାର ଦଳ ଦରକାର ସେ ଅନ୍ୟ ଏକ ଦଳ ଗଠନ କରନ୍ତୁ  । ତେବେ ମହାରାଷ୍ଟ୍ର ବିଧାନସଭାରେ ବର୍ତ୍ତମାନ ୨୮୭ ସଦସ୍ୟ ଅଛନ୍ତି । ଏଥିରେ ଶିବସେନାର ୫୫ ବିଧାୟକ ଅଛନ୍ତି । ହେଲେ ଏକନାଥ ସିନ୍ଦେ ବିଦ୍ରୋହ କରି ନିଜ ସମର୍ଥନରେ ନେଇଥିଲେ  । ଗତ ୪ ତାରିଖରେ ହୋଇଥିବା ଆସ୍ଥା ଭୋଟରେ ବିଜେପି ସମର୍ଥନରେ ସିନ୍ଦେଙ୍କୁ ୧୬୪ ଭୋଟ ମିଳିଥିଲା । ସେହିପରି ବିରୋଧରେ ୯୯ଟି ଭୋଟ ପଡିଥିଲା ।