ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡ଼ିବା ଘଟଣାକୁ ନେଇ ବଢିଲା ରାଜନୀତି
1 min readନନ୍ଦିଘୋଷ ବ୍ୟୁରୋ: ଛତ୍ରପତି ଶିବାଜୀଙ୍କ ପ୍ରତିମୂର୍ତ୍ତି ଭୁଶୁଡିବା ଘଟଣାକୁ ନେଇ ବଢିଲା ରାଜନୀତି। ଏହାକୁ ନେଇ ଶାସକ ଏନଡିଏରେ ସୃଷ୍ଟି ହୋଇଛି ବିବାଦ। ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣାରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିଛି ଉପମୁଖ୍ଯମନ୍ତ୍ରୀ ଅଜିତ ପାୱାର ନେତୃତ୍ବାଧୀନ ଏନସିପି। ଯେଉଁମାନେ ଏହି ଘଟଣା ପଛରେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଏନସିପି। ଏନସିପି ରାଜ୍ଯ ସଭାପତି ସୁନିଲ ତତକାରେ କହିଛନ୍ତି- ସିନ୍ଧୁଦୁର୍ଗ ଅନ୍ତର୍ଗତ ରାଜକୋଟ ଫୋର୍ଟରେ ପ୍ରତିଷ୍ଠିତ ଶିବାଜୀଙ୍କ ପ୍ରତିମୂର୍ତ୍ତି ମାତ୍ର ୮ ମାସରେ ଭାଙ୍ଗିପଡିଲା। ଏହା ଦୁର୍ଭାଗ୍ଯଜନକ। ଏକ୍ଷେତ୍ରରେ ଅକ୍ଷମଣୀୟ ତ୍ରୁଟି କରାଯାଇଛି। ଭବିଷ୍ଯତରେ ଯେପରି ଏହି ଧରଣର ଘଟଣା ଘଟିବ ନାହିଁ ସେଥିପ୍ରତି ପଦକ୍ଷେପ ନିଆଯିବା ଦରକାର। ସେଠାରେ ତୁରନ୍ତ ଏକ ନୂଆ ପ୍ରତିମୂର୍ତ୍ତି ଗଠନ ଲାଗି ଦାବି କରିଛି ଏନସିପି। ଗତବର୍ଷ ଡିସେମ୍ବର ୪ରେ ଶିବାଜୀଙ୍କ ୩୫ଫୁଟ ଉଚ୍ଚତାର ଏକ ପ୍ରତିମୂର୍ତ୍ତିକୁ ଉଦଘାଟନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତ ଅଗଷ୍ଟ ୨୬ ତାରିଖରେ ଏହି ପ୍ରତିମୂର୍ତ୍ତି ଭୁଶୁଡି ପଡିବା ପରେ ଏହାକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ କଂଗ୍ରେସ, ଶିବସେନା-ୟୁବିଟି ଓ ଏନସିପି-ଶରଦ ପାୱାର। ମୁଖ୍ଯମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଇସ୍ତଫା ବି ଦାବି କରାଯାଇଥିଲା। ଏହି ଘଟଣାରେ ଠିକାଦାର ଜୟଦୀପ ଆପ୍ତେ ଓ ଷ୍ଟ୍ରକଚରାଲ କନସଲଟାଣ୍ଟ ଚେତନ ପାଟିଲଙ୍କ ବିରୋଧରେ ମାମଲା ଦାୟର ହୋଇଥିଲା। ତେବେ ଏନସିପି ଗୋଷ୍ଠୀର ଆନ୍ଦୋଳନ ଶାସକ ମେଣ୍ଟ ଲାଗି ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।