ପୁଣି ଫେରିଲା ମହାରାଷ୍ଟ୍ର ମହାବଳ, ଟ୍ରାପ୍ କ୍ୟାମେରା ଲଗାଇ ଅନୁଧ୍ୟାନ କରୁଛି ବନ ବିଭାଗ

ଗୁଡ଼ାରୀ: ଗୁଡ଼ାରୀ ଓ ପଦ୍ମପୁର ବ୍ଲକ୍ ସୀମାନ୍ତ ଅଞ୍ଚଳକୁ ଫେରିଲା ମହାରାଷ୍ଟ୍ର ମହାବଳ। ଗତକାଲି ବିଳମ୍ବିତ ରାତିରେ ଗାଈ ଶିକାର କରିବାକୁ ଉଦ୍ୟମ କଲା ବେଳେ ଗାଁ ଲୋକଙ୍କ ହୋହଲ୍ଲାରେ ଚମ୍ପଟ ମାରିଥିଲା ବାଘ। ଏବେ ପାଦ ଚିହ୍ନକୁ ଠାବ କରି ଟ୍ରାପ୍ କ୍ୟାମେରା ଲଗାଇ ଅନୁଧ୍ୟାନ କରୁଛି ବନ ବିଭାଗ। ବାରମ୍ବାର ପଳାଇ ଯାଉଥିବା ମହାବଳ ଏଥର ତୃତୀୟ ଥର ପାଇଁ ଗୁଣୁପୁର ଗୁଡ଼ାରୀ ଓ ପଦ୍ମପୁର ବ୍ଲକ୍ ସୀମାନ୍ତ ଅଞ୍ଚଳକୁ ପୁଣି ଆସିଛି।

କଦମା ପଞ୍ଚାୟତ ମେରେଣ୍ଡା ନିକଟ ଜିପଗାଁରେ ମହାବଳ ବିଳମ୍ବିତ ରାତିରେ ଗାଈକୁ ମାରିବାକୁ ଉଦ୍ୟମ କରିଥିଲା । ହେଲେ ଲୋକଙ୍କ ପାଟି ଶୁଣି ପଳାଇଥିଲା ମହାବଳ। ଖବର ପାଇ ଗୁଡ଼ାରୀ ରେଞ୍ଜର ଦିଲ୍ଲୀପ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ବନ କର୍ମଚାରୀ ଜିପଗାଁରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ବାଘର ଗତି ବିଧି ଜାଣିବା ପାଇଁ ଶିକାର କରିଥିବା ସ୍ଥାନରେ ଟ୍ରାପ୍ କ୍ୟାମେରା ଲଗାଯାଇଛି।