ମହାରାଷ୍ଟ୍ରରେ କିଏ ହେବେ ମୁଖ୍ଯମନ୍ତ୍ରୀ ?

ମୁମ୍ବାଇ : ମହାରାଷ୍ଟ୍ରରେ କିଏ ହେବେ ମୁଖ୍ଯମନ୍ତ୍ରୀ ଜାରି ରହିଛି ସସପେନ୍ସ। ସେପଟେ ବିନା ବିବାଦରେ ସବୁକିଛିର ସମାଧାନ ହେବ ବୋଲି ସୂଚନା ଦେଇଛି ବିଜେପି। ଶିବସେନାର ଏକନାଥ ସିନ୍ଦେ ନା ବିଜେପିର ଦେବେନ୍ଦ୍ର ଫଡନବିସ ହେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ପଦ ନେଇ ଛିଣ୍ଡୁନି ଅଙ୍କ। ନିଜ ନିଜ ଜିତରେ ଅଟଳ ରହିଛନ୍ତି ଦୁଇ ନେତା। ଶିବସେନା ମହାୟୁତି ମେଣ୍ଟରେ ଦ୍ଵିତୀୟ ସର୍ବାଧିକ ଆସନ ହାସଲ କରିଥିବା ଦଳ ରହିଥିବାବେଳେ ସର୍ବାଧିକ ଆସନ ହାସଲ କରିଛି ବିଜେପି। ସେପଟେ ଏନସିପି ଅଜିତ ପାୱାର ଗୋଷ୍ଠୀ ୪୧ ଆସନ ସହ ତୃତୀୟ ସ୍ଥାନରେ ରହିଛନ୍ତି। ମହାୟୁତି ବୈଠକରେ ମୁଖ୍ୟମନ୍ତ୍ରୀ କିଏ ହେବ ଏହାର ସମାଧାନ ନେଇ ବାଟ ବାହାରି ପାରିନାହିଁ। ସେପଟେ ବିଜେପି ହାଇକମାଣ୍ଡ ମଧ୍ୟ ମୁଖ୍ୟମନ୍ତ୍ରୀ ଚୟନରେ ଫେଲ ମାରିଛନ୍ତି। ଏବେ ବିଜେପି ପର୍ଯ୍ୟବେକ୍ଷକ ନେବେ ଅନ୍ତିମ ନିଷ୍ପତ୍ତି। ବିଜେପି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଆସି ଦଳୀୟ ଓ ମହାୟୁତି ମେଣ୍ଟ ସହଯୋଗୀ ନେତାଙ୍କ ସହ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ନାଁ ଘୋଷଣା ହୋଇପାରେ। ତେଣେ ଏନସିପି ନେତା ଅଜିତ ପାୱାର ଓ ସିନ୍ଦେଙ୍କ ବୈଠକ ବଢାଇଛି ହାର୍ଟବିଟ। ବିଜେପିର ଏକାକୀ ୧୩୨ ଆସନ ହାତେଇଥିବାବେଳେ ମହାୟୁତି ମେଣ୍ଟ ୨୩୦ ଆସନ ଜିତିଛି। ସେଥିରେ ଏକନାଥ ସିନ୍ଦେଙ୍କ ଶିବସେନାର ୫୭ ଆସନ ରହିଛି।  ବିଜେପି ଅଧିକ ଆସନ ଜିତିଥିବାରୁ ମୁଖ୍ୟମନ୍ତ୍ରୀ ରେସରେ ସବୁଠାରୁ ଆଗରେ ରହିଛନ୍ତି। ଗତ ନିର୍ବାଚନ ତୁଳନାରେ ଏମଭିଏ ୨୫ ଆସନ ହରାଇଛି। ୨୮୮ ଆସନ ଲାଗି ମ୍ଯାଜିକ ନମ୍ବର ହେଉଛି ୧୪୫। ବିଜେପି ଏକାକୀ ୧୩୨ ଆସନ ପାଇଥିବାରୁ ମେଣ୍ଟ ସହଯୋଗୀଙ୍କ ଗୁରୁତ୍ବ ବି ହ୍ରାସ ପାଇଛି।