ମହାରାଷ୍ଟ୍ରରେ ରେକର୍ଡ ଭାଙ୍ଗିଲା କରୋନା, ଦିନକରେ ୬୩ ହଜାର ପଜିଟିଭ୍

1 min read
Maharashtra Records 63294 New Coronavirus Cases In A Day

ମୁମ୍ବାଇ: ମହାରାଷ୍ଟ୍ରରେ ମହାମାରୀ କରୋନା ଭୟଙ୍କର ରୂପ ନେବାରେ ଲାଗିଛି । ରାଜ୍ୟରେ ରବିବାର କରୋନାର ରେକର୍ଡ ସଂଖ୍ୟକ ୬୩ ହଜାରରୁ ଅଧିକ ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ଅନ୍ୟପଟେ ଦିନକରେ ୩୪୯ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜଧାନୀ ମୁମ୍ବାଇରୁ କେବଳ ୧୦ ହଜାର ସଂକ୍ରମିତ ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ବେଳେ ୫୮ ଜଣଙ୍କ ମୃତ୍ୟୁ ହୋଇଛି । କରୋନାର ବେକାବୁ ସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଲକଡାଉନ୍ ଲାଗୁ ନେଇ ସୁପାରିସ୍ କରିଛି ରାଜ୍ୟ ଟାସ୍କ ଫୋର୍ସ କମିଟି ।

ରବିବାର ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ଜାରି କରିଥିବା ବୁଲେଟିନ୍ ଅନୁସାରେ, ଆଜି ରାଜ୍ୟରେ ୬୩ ହଜାର ୨୯୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ଯାଏ କରୋନାର ୩୪ ଲକ୍ଷ ୭ ହଜାର ୨୪୫ଟି ମାମଲା ଚିହ୍ନଟ ହୋଇଥିବା ବେଳେ ୫୭ ହଜାର ୯୮୭ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଏବେ ୫ ଲକ୍ଷ ୬୫ ହଜାର ୫୮୭ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

ସେହିଭଳି ମାୟାନଗରୀ ମୁମ୍ବାଇରେ ଆଜି ୯ ହଜାର ୯୮୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ବଢ଼ୁଥିବା ମାମଲାକୁ ଦେଖି ମହାରାଷ୍ଟ୍ରରେ କଡ଼ାକଡ଼ି ଲକଡାଉନ୍ ଲାଗୁ ହେବା ନେଇ ମନ୍ତ୍ରୀ ଅସଲମ୍ ଶେଖ ସୂଚନା ଦେଇଛନ୍ତି । ରବିବାର କୋଭିଡ୍ ଟାସ୍କ ଫୋର୍ସ ବୈଠକ ପରେ ଅସଲମ ଶେଖ କହିଛନ୍ତି- ମହାରାଷ୍ଟ୍ର ସରକାର ଅଚାନକ ଲକଡାଉନ୍ ଲଗାଇବେ ନାହିଁ । ଲୋକଙ୍କୁ କରୋନା ଗାଇଡଲାଇନ୍ ମାନିବା ଅନେକ ଥର ସଚେତନ କରିଛୁ । ତଥାପି ଲୋକ ମାନୁନାହାଁନ୍ତି । ସରକାର ଏବେ କରୋନା ସଂକ୍ରମଣ ଚେନ୍ ଭାଙ୍ଗିବାକୁ ପୂର୍ଣ୍ଣ ଲକଡାଉନ୍ ଲାଗୁ କରିବେ ।

Leave a Reply