ମହାରାଷ୍ଟ୍ର ରାୟଗଡ଼ରେ କୋଠା ଭୁଶୁଡ଼ିବା ଘଟଣା: ୨ ଜଣଙ୍କର ମୃତ, ଏବେବି ଅନେକ ଫସି ରହିଥିବା ସୂଚନା

1 min read

ନୂଆଦିଲ୍ଲୀ: ମହାରାଷ୍ଟ୍ରର ରାୟଗଡରେ ଏକ ବିଲଡିଂ ଭୁଶୁଡ଼ି ପଡ଼ିଛି ।  ହଠାତ ଏକ ପାଞ୍ଚ ମହଲା କୋଠାଟି ଭୁଶୁଡି ପଡିଥିଲା । ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ରୁ ଅଧିକ ଲୋକ ଫସି ରହିଥିବାର ଆଶଙ୍କା କରାଯାଉଛି । ୧୦ ବର୍ଷ ପୁରୁଣା ଏହି ପାଞ୍ଚ ମହଲା କୋଠାରେ ୪୧ ଟି ଫ୍ଲାଟ ଥିଲା  । ଯେଉଁଥିରେ ୮୦ ଜଣ ଲୋକ ରହୁଥିଲେ । ତେବେ ୬୦ ଜଣ ଲୋକ ସଂପୂର୍ଣ୍ଣ ସୁରକ୍ଷିତ ଅଛନ୍ତି । କୋଠା ଭୁଶୁଡ଼ିବା ପରଠାରୁ ଯୁଦ୍ଧକାଳୀନ ବିତିରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି । ପୁନେର ଏନଡିଆରଏଫ ଦଳ ରାତିରେ ପହଞ୍ଚିଥିଲେ ।

ରାତିସାରା ରିଲିଫ ଓ ଉଦ୍ଧାର କାର୍ଯ୍ୟ ଚାଲିଥିଲା । ଜେସିବି ଏବଂ କ୍ରେନର ସହାୟତାରେ ଉଦ୍ଧାର କାର୍ଯ୍ୟ ଚାଲିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ଦୁର୍ଘଟଣାକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ ତୁରନ୍ତ ବିଧାୟକ ତଥା କଲେକ୍ଟର ନିଧି ଚୌଧୁରୀଙ୍କ ସହ କଥା ହୋଇଥିଲେ । କଲେକ୍ଟର କହିଛନ୍ତି ଯେ ପାଞ୍ଚ ମହଲା ମଧ୍ୟରୁ ତିନିଟି ମହଲା ଖସିପଡିଛି ।

ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଟୁଇଟ୍ କରି ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଧ୍ୱଂସାବଶେଷରେ ଫସି ରହିଥିବା ଲୋକଙ୍କ ପାଇଁ ପ୍ରାର୍ଥନା କରିଛନ୍ତି । ସୋମବାର ସନ୍ଧ୍ୟାରେ ସେ କହିଛନ୍ତି ଯେ ମହାରାଷ୍ଟ୍ରର ରାୟଗଡରେ ଏକ କୋଠା ଭୁଶୁଡ଼ିବା ଅତ୍ୟନ୍ତ ଦୁଃଖଦାୟକ । NDRF ଡିଜିଙ୍କ ସହ କଥା ହୋଇଛନ୍ତି । ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରନ୍ତୁ ।

Leave a Reply