ରେଲଓ୍ୱେ ଷ୍ଟେସନରେ ମୁଣ୍ଡ ଉପର ଦେଇ ଚାଲିଗଲା ମୃତ୍ୟୁ

ମନମାଡ଼: ମହାରାଷ୍ଟ୍ରର ମନମାଡ଼ ରେଲଓ୍ୱେ ଷ୍ଟେସନରୁ ଛାତି ଥରାଇବା ଭଳି ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଏଠାରେ ଜଣେ ସାଧୁ ରେଲଓ୍ୱେ ଟ୍ରାକରେ ଫସି ଯାଇଥିବା ନଜର ଆସିଛି । ଭିଡ଼ିଓରେ ଦେଖିବାକୁ ମିଳିଛିଯେ ଜଣେ ସାଧୁ ଟ୍ରେନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ଭିଡ଼ିଓ ଅନୁସାରେ, ପ୍ଲାଟଫର୍ମ ନମ୍ବର ୩ରୁ ୪ ଆଡ଼କୁ ଜଣେ ବ୍ୟକ୍ତି ଚାଲି ଚାଲି ଯାଉଥିଲେ । ସେତିକି ବେଳେ ସାମ୍ନାରୁ ଏକ ଟ୍ରେନ୍‌ ଆସିଗଲା । ହଠାତ୍‌ ଜୀବନ ବଞ୍ଚାଇବା ପାଇଁ ଟ୍ରେନ୍‌ ଟ୍ରାକରେ ତଳକୁ ମୁହଁ କରି ଉକ୍ତ ସାଧୁ ଜଣକ ଶୋଇଗଲେ । ସାଧୁଙ୍କ ଉପରେ ପ୍ରାୟ ଦେଢ଼ ମିନିଟରେ ୧୦ଟି ଡବା ଅତିକ୍ରମ କରି ଚାଲିଗଲା । ସୌଭାଗ୍ୟବଶତଃ ସାଧୁ ଜଣଙ୍କୁ କୌଣସି କ୍ଷତି ପହଞ୍ଚିନାହିଁ ।

ଏହି ସମୟର ଭିଡ଼ିଓକୁ କେହି ଜଣେ ମୋବାଇଲରେ କଏଦ କରି ଦେଇଥିଲେ । ସୂଚନା ଅନୁସାରେ ଟ୍ରେନର ଲୋକ ପାଇଲଟ ମଧ୍ୟ ସ୍ଥିତି ଦେଖି ବ୍ରେକ୍‌ ଲଗାଇଦେଲେ । ଲୋକ କେବଳ ବାହାରେ ଥାଇ ଚିତ୍କାର କରୁଥିଲେ ଟ୍ରାକରୁ ନଉଠିବା ପାଇଁ । ତେବେ ଟ୍ରେନ୍‌ ଅଟବିକା ପରେ ଜଣେ ବ୍ୟକ୍ତି ଯାଇ ତାଙ୍କୁ ସେଠାରୁ ବାହାରକୁ ଆଣିଲେ । କିଛି ସମୟ ପରେ ସାଧୁ ଜଣକ ସେଠାରୁ ଗାୟବ ହୋଇଗଲେ । ସେଥିପାଇଁ ତାଙ୍କର କୌଣସି ପରିଚୟ ମିଳିପାରିନାହିଁ ।