ଋତୁସ୍ରାବ ଛାତ୍ରୀଙ୍କୁ ଚାରାରୋପଣ ପାଇଁ ମିଳିଲାନି ଅନୁମତି

ନାସିକ୍: ଚାରାରୋପଣ ପାଇଁ ଋତୁସ୍ରାବ ଛାତ୍ରୀଙ୍କୁ ମିଳିଲାନି ଅନୁମତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ନାଶିକ୍ ଜିଲ୍ଲା ଅନ୍ତର୍ଗତ ଏକ ସରାକରୀ ବୋର୍ଡିଂ ସ୍କୁଲରେ । ଏହି ସ୍କୁଲରେ ଚାରାରୋପଣ ଅଭିଯାନ ବେଳେ ଋତୁସ୍ରାବ ହୋଇଥିବା ୧୨ ଛାତ୍ରୀଙ୍କୁ ଜଣେ ପୁରୁଷ ଶିକ୍ଷକ ଚାରା ରୋପଣ ପାଇଁ ଅନୁମତି ଦେଇନଥିବା ଅଭିଯୋଗ ହୋଇଛି । ମାସିକ ଧର୍ମ ସମୟରେ ଛାତ୍ରୀମାନେ ଚାରା ରୋପଣ କଲେ ତାହା ବଢ଼ିବ ନାହିଁ ଓ ଜଳିଯିବ ବୋଲି ଶିକ୍ଷକ ଜଣକ କହିଥିବା ଜଣେ ଆଦିବାସୀ ଛାତ୍ରୀ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ଏହି ଖବର ପ୍ରକାଶ ପାଇବା ପରେ ଆଦିବାସୀ ଉନ୍ନୟନ ବିଭାଗ ଏହାର ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି ।

ବୁଧବାର ନାସିକ୍ ଅତିରିକ୍ତ ଜିଲ୍ଲାପାଳ ଏବଂ ଟିଡିଡି ପ୍ରୋଜେକ୍ଟ ଅଫିସର ତ୍ରୈମ୍ବକେଶ୍ୱର ତାଲୁକା ଅନ୍ତର୍ଗତ ଉକ୍ତ ଆଶ୍ରମ ସ୍କୁଲକୁ ଯାଇ ଛାତ୍ରୀ ଜଣଙ୍କୁ ଭେଟି ଘଟଣା ସମ୍ପର୍କରେ ବୁଝିଥିଲେ । ଗଛ ଲଗାଇବା ସୁଯୋ ନପାଇବାରୁ ଛାତ୍ରୀ ଜଣକ ଶ୍ରମଜୀବୀ ସଂଗଠନର ଜିଲ୍ଲା ସମ୍ପାଦକ ଭଗଓ୍ୱାନ ମାଧେଙ୍କୁ ଭେଟି ଅଭିଯୋଗ କରିଥିଲେ । ନିୟମ ନଥିବା ସତ୍ତ୍ୱେ ଉକ୍ତ ସ୍କୁଲରେ ନାମଲେଖା ବେଳେ ୟୁରିନ୍ ପ୍ରେଗ୍ନାନ୍ସି ଟେଷ୍ଟକୁ ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ଛାତ୍ରୀମାନଙ୍କୁ ଖର୍ଚ୍ଚ ଦେବାକୁ ପଡ଼ିଥାଏ ବୋଲି ମାଧେ ଅଭିଯୋଗ କରିଛନ୍ତି ।