କର୍ଣ୍ଣାଟକରେ ମହାରାଷ୍ଟ୍ର ନମ୍ବର ପ୍ଲେଟ ଥିବା ଟ୍ରକ୍ ଉପରେ ଆକ୍ରମଣ, ବଢ଼ିଲା ସୀମା ବିବାଦ

ମୁମ୍ବାଇ: କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ମଧ୍ୟରେ ସୀମା ବିବାଦ ପୁଣିଥରେ ଚରମ ସୀମାରେ ପହଞ୍ଚିଛି । ଆଜି କର୍ଣ୍ଣାଟକର ବେଲଗାଭି ଜିଲ୍ଲାରେ କନ୍ନଡ ସଂଗଠନ ପ୍ରଦର୍ଶନ କରିଥିଲା ଏବଂ ଏହି ସମୟରେ ମହାରାଷ୍ଟ୍ର ନମ୍ବର ପ୍ଲେଟ ଥିବା ଟ୍ରକ୍ ଉପରକୁ ପଥର ମାଡ଼ କରିଥିଲେ । କେବଳ ଏତିକି ନୁହେଁ ଲୋକମାନେ ରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରିଥିଲେ । ପୋଲିସ କନ୍ନଡ ସଂଗଠନ କର୍ଣ୍ଣାଟକ ରକ୍ଷଣ ବେଦିକେ ସହ ସମ୍ବନ୍ଧିତ କିଛି କର୍ମୀଙ୍କୁ ହେପାଜତକୁ ମଧ୍ୟ ନେଇଥିଲା ।

ଏହି ଘଟଣା ବେଲଗାଭିର ହିରେ ବାଗେୱାଡୀରେ ହୋଇଛି, ଯେଉଁଠାରେ ଏହି ଲୋକମାନେ ଏକ ଟ୍ରକ୍ ଉପରକୁ ପଥର ମାଡ଼ କରିଥିଲେ । ଏହା ବ୍ୟତୀତ ମହାରାଷ୍ଟ୍ରର ନମ୍ବର ପ୍ଲେଟ ଥିବା କିଛି ଟ୍ରକ୍ ଗୁଡିକୁ ଅଟକାଇ ଦେଇଥିଲେ । ଏହାରି ମଧ୍ୟରେ କର୍ଣ୍ଣାଟର ଘଟଣାକୁ ନେଇ ମହାରାଷ୍ଟ୍ରର ଡେପୁଟି ସିଏମ ଦେବେନ୍ଦ୍ର ଫଡନାବୀସ ଚିନ୍ତା ବ୍ୟକ୍ତ କରିଛନ୍ତି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସଭରାଜ ବୋମାଇଙ୍କ ସହ ଟେଲିଫୋନ ଯୋଗେ ଘଟଣା ସମ୍ପର୍କରେ କଥା ମଧ୍ୟ ହୋଇଛନ୍ତି ।

ମହାରାଷ୍ଟ୍ର ସରକାରର ଦୁଇ ମନ୍ତ୍ରୀ ବେଲଗାଭିରେ ହେବାକୁ ଥିବା ନିଜ ଗସ୍ତ କାର୍ଯ୍ୟକ୍ରମକୁ ସ୍ଥଗିତ କରିଛନ୍ତି । ବେଲଗାଭିର ୮୫୦ ଗାଁର ମରାଠୀ ଭାଷାଭାଷୀ ଲୋକଙ୍କ ସହ ଆଲୋଚନା କରିବାକୁ ଯାଇଥାନ୍ତେ ଦୁଇ ମନ୍ତ୍ରୀ । ରାଜ୍ୟ ସରକାରଙ୍କ ପ୍ୟାକେଜ ବାବଦରେ ଅବଗତ କରାଇଥାନ୍ତେ । ଉଲ୍ଲେଖଯୋଗ୍ୟ, ବେଲଗାଭି ଜଲ୍ଲାର ମରାଠୀ ଭାଷାଭାଷୀ ଅଞ୍ଚଳକୁ ମହାରାଷ୍ଟ୍ର ନିଜର ବୋଲି ଦାବି କରି ଆସୁଛି ।

ବର୍ତ୍ତମାନ ଏହି ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି । ଅନ୍ୟପକ୍ଷରେ ମହାରାଷ୍ଟ୍ର ସରକାର ସୁରକ୍ଷା ଦୃଷ୍ଟିରୁ କର୍ଣ୍ଣାଟକ ପାଇଁ ନିଜର ବସ୍ ସେବାକୁ ବର୍ତ୍ତମାନ ପାଇଁ ବନ୍ଦ କରିଛନ୍ତି । ଏନସିପି ମୁଖିଆ ଶରଦ ପୱାର ଏହି ମାମଲାରେ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ଏବଂ କର୍ଣ୍ଣାଟକକୁ ୨୪ ଘଣ୍ଟାର ଅଲ୍ଟିମେଟମ ଦେଇଛନ୍ତି । ପୱାର କହିଛନ୍ତି, ମହାରାଷ୍ଟ୍ର ନମ୍ବର ପ୍ଲେଟ ଥିବା ଟ୍ରକ୍ ଉପରେ ଆକ୍ରମଣ ଭଳି ଘଟଣାର ସମାଧାନ ୨୪ ଘଣ୍ଟା ମଧ୍ୟରେ ହୋଇଯିବା ଆବଶ୍ୟକ ।

ଏହାପରେ ଆପଣ ଆମର ଧୌର୍ଯ୍ୟର ପରୀକ୍ଷା ନେବେ ନାହିଁ । ଏହା ବ୍ୟତୀତ ସେ ମହାରାଷ୍ଟ୍ରର ସମସ୍ତ ସାଂସଦଙ୍କୁ ଅପିଲ କରିଛନ୍ତି ଯେ ଏକଜୁଟ ହୋଇ ସଂସଦର ଶୀତକାଳୀନ ଅଧିବେଶନରେ ଏହି ପ୍ରସଙ୍ଗ ଉଠାଇବା ପାଇଁ । ଏଥିସହିତ ଏକନାଥ ଶିନ୍ଧେଙ୍କୁ କହିଛନ୍ତି ଯେ ଏହା ଉପରେ କୌଣସି ବି ପଦକ୍ଷେପ ନେବା ପୂର୍ବରୁ ସବୁ ଦଳର ପରାମର୍ଶ ନିଅନ୍ତୁ ।