ଇସ୍ତଫା ଦେଲେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ

1 min read

ମୁମ୍ବାଇ: ଇସ୍ତଫା ଦେଇଛନ୍ତି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖ। ଅନୀଲଙ୍କ ବିରୋଧରେ ଚାନ୍ଦା ଆଦାୟ ଅଭିଯୋଗ ଆଣିଥିଲେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବିର ସିଂହ।  କିଛି ସମୟ ପୂର୍ବରୁ ଏହି ଚାନ୍ଦା ଆଦାୟ ମାମଲାର ସିବିଆଇ ଯାଞ୍ଚ କରିବାକୁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୋର୍ଟଙ୍କ ଏଭଳି ନିର୍ଦ୍ଦେଶର ତୁରନ୍ତ ପରେ ଦେଶମୁଖ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବିର ସିଂହ ବମ୍ବେ ହାଇକୋର୍ଟରେ ଅନିଲ ଦେଶମୁଖଙ୍କ ବିରୋଧରେ କରିଥବା ଆବେଦନର ଶୁଣାଣି କରି ଆଜି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ। ନିର୍ଦ୍ଦେଶ ଅନୁସାରେ ମାମଲାର ଆରମ୍ଭରୁ ତଦନ୍ତ କରିବ ସିବିଆଇ। ଏଥିରେ ସମସ୍ତେ ସିବିଆଇକୁ ସହଯୋଗ କରିବାର ଆବଶ୍ୟକତା ରହିଛି । ୧୫ ଦିନ ମଧ୍ୟରେ ସିବିଆଇ ଟିମ୍ ସିବିଆଇ ନିର୍ଦ୍ଦେଶକଙ୍କୁ ରିପୋର୍ଟ ଦେବେ।ଯଦି ତଦନ୍ତ ସମୟରେ ଦେଶମୁଖଙ୍କ ବିରୋଧରେ ସତ୍ୟତା ପ୍ରମାଣିତ ହୁଏ ତେବେ ସିବିଆଇ ମାମଲା ରୁଜୁ କରିପାରିବ । ଅନିଲ ଦେଶମୁଖ ମହାରାଷ୍ଟ୍ରର ଗୃହମନ୍ତ୍ରୀ ହୋଇଥିବାରୁ ପୋଲିସ ଠିକଠାକ୍ ତଦନ୍ତ କରିପାରିବ ନାହିଁ ବୋଲି କୋର୍ଟ ହୃଦବୋଧ କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ଚିଠି ଲେଖି ମହାରାଷ୍ଟ୍ରର ଗୃହମନ୍ତ୍ରୀ ଅନିଲ୍ ଦେଶମୁଖଙ୍କ ଉପରେ ଭ୍ରଷ୍ଟାଚାରର ଅଭିଯୋଗ କରିଥିଲେ । ସେ ଅଭିଯୋଗ କରିଥିଲେ ଯେ ଗୃହମନ୍ତ୍ରୀ ମାସକୁ ୧୦୦ କୋଟି ଟଙ୍କା ଚାନ୍ଦା ଆଦାୟ କରୁଥିଲେ। ଏଭଳି ଅଭିଯୋଗ ପରେ ମହାରାଷ୍ଟ୍ର ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ଏହି ଘଟଣାରେ ଅନୀଲ ଦେଶମୁଖଙ୍କ ଇସ୍ତଫା ଦାବି କରିଥିଲା ବିରୋଧୀ ବିଜେପି। ଅନ୍ୟପଟେ ମଧ୍ୟପ୍ରଦେଶ ଭଳି ମହାରାଷ୍ଟ୍ରରେ ସରକାର ଭାଙ୍ଗିବାକୁ କେନ୍ଦ୍ର ସରକାର ଚେଷ୍ଟା କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଶିବସେନା ମଧ୍ୟ ବିଜେପିକୁ ସମାଲୋଚନା କରିଛି।

Leave a Reply