spot_img

Latest Posts

ଦେଶ ଛାଡ଼ିବାକୁ ଯୋଜନା କରୁଥିଲେ ଦେଶମୁଖ, ଇଡି ଜାରି କଲା ଲୁକଆଉଟ ନୋଟିସ୍

ମୁମ୍ବାଇ: ୧୦୦ କୋଟି ବଟି ଆଦାୟ ମାମଲାରେ ଅଭିଯୁକ୍ତ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଦେଶ ଛାଡି ପଳାଇବାକୁ ଚେଷ୍ଟା କରୁଛନ୍ତି। ତେବେ ତାଙ୍କର ଏହି ଯୋଜନାକୁ ଭଣ୍ଡୁର କରିଛି ଇଡି। ଦେଶମୁଖଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଏକ ଲୁକ୍ଆଉଟ୍ ନୋଟିସ୍ ଜାରି କରାଯାଇଛି। ଯାହାପରେ ସେ ଆଉ ଦେଶ ବାହାରକୁ ଯାଇପାରିବେ ନାହିଁ।

ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏପର୍ଯ୍ୟନ୍ତ ଅନିଲ ଦେଶମୁଖଙ୍କୁ ପାଞ୍ଚ ଥର ସମନ ଜାରି କରିଛନ୍ତି, କିନ୍ତୁ ସେ ଥରେ ମଧ୍ୟ ଇଡିରେ ହାଜର ହୋଇନାହାଁନ୍ତି। ପ୍ରତ୍ୟେକ ଥର ସେ ଏବଂ ତାଙ୍କ ଓକିଲଙ୍କ ତରଫରୁ  ଭିନ୍ନ ଭିନ୍ନ ଯୁକ୍ତି ଦିଆଯାଇଥିଲା। ନିକଟରେ ଦେଶମୁଖ ଇଡି ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ କିନ୍ତୁ ସେଠାରୁ ମଧ୍ୟ ତାଙ୍କୁ କୌଣସି ଆଶ୍ୱସ୍ତି ମିଳିନଥିଲା। ଇଡି କିମ୍ବା ସିବିଆଇ ଦ୍ୱାରା ବାଧ୍ୟତାମୂଳକ କାର୍ଯ୍ୟରୁ ଦେଶମୁଖଙ୍କୁ କୌଣସି ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ଦେବାକୁ ସୁପ୍ରିମକୋର୍ଟ ମନା କରି ଦେଇଥିଲେ। ଗତ ସପ୍ତାହରେ ଦେଶମୁଖ ବମ୍ବେ ହାଇକୋର୍ଟରେ ପହଞ୍ଚିଥିଲେ। ସେଠାରେ ମାମଲାର ଶୁଣାଣି ବିଚାରାଧୀନ ରହିଛି।

ଦେଶମୁଖଙ୍କୁ ଇଡ଼ି ବର୍ତ୍ତମାନ ପଞ୍ଚମ ନୋଟିସ ଜାରି କରିଛି। ଏଥିସହିତ ଦେଶମୁଖ ଗିରଫ ଭୟରେ ଦେଶ ଛାଡି ପାରନ୍ତି ବୋଲି ଇଡି ଆଶଙ୍କା କରୁଛି। ସେଥିପାଇଁ ବର୍ତ୍ତମାନ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରାଯାଇଛି।

ସୂଚନାଯୋଗ୍ୟ, ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପାରମବୀର ସିଂ ଅନିଲ ଦେଶମୁଖଙ୍କ ବିରୋଧରେ ୧୦୦କୋଟି ଟଙ୍କା ବଟି ଆଦାୟର ଅଭିଯୋଗ କରିଥିଲେ। ଏଥିସହ ସେ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା, ଚୋରା ଚାଲାଣ ଏବଂ ଟ୍ରାନ୍ସଫର ପୋଷ୍ଟିଂରେ ହସ୍ତକ୍ଷେପ କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହାର ତଦନ୍ତ କରୁଛି।

Latest Posts

Don't Miss