ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପୁଅ ଏମିତି ଏକ ଜମି ସ୍କାମରେ ଫସିଛନ୍ତି, ତାକୁ ସେ ନା ରଖିପାରୁଛନ୍ତି ନା ଛାଡ଼ି ପାରୁଛନ୍ତି। ରଖିଲେ କ୍ରିମିନାଲ କେସରେ ଫସିବେ। ନ ରଖି ବାତିଲ କଲେ ଦେବାକୁ ପଡ଼ିବ ୪୨ କୋଟି ଟଙ୍କାର ଷ୍ଟାମ୍ ଡ୍ୟୁଟି। ପୁଣେରେ ଥିବା ଏକ ସରକାରୀ ଜମି କିଣିବାକୁ ଡିଲ୍ କରିଥିଲେ ଅଜିତ ପାୱାରଙ୍କ ପୁଅ ପାର୍ଥ ପାୱାର। ତାଙ୍କ କମ୍ପାନୀ ଏହି ଡିଲ୍ କରିଥିଲା। କିନ୍ତୁ ସେହି ଜମି ଏକ ସରକାରୀ ଜମି ବୋଲି ଜଣାପଡ଼ିବା ପରେ ଅଡୁଆରେ ପଡିଛନ୍ତି ପାର୍ଥ ପାୱାର। ତାଙ୍କ ବାପା ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର କହିଛନ୍ତି, ଏହା ସରକାରୀ ଜମି ବୋଲି ପାର୍ଥ ଜାଣିନଥିଲେ। ଜମି ଫେରାଇ ଦେବାକୁ ସେ ପ୍ରସ୍ତୁତ। ତେବେ ଜମି ରେଜିଷ୍ଟ୍ରିକୁ ବାତିଲ କରିବା ପାଇଁ ପାର୍ଥଙ୍କ କମ୍ପାନୀକୁ ୪୨ କୋଟି ଟଙ୍କା ଦେବାକୁ ପଡ଼ିବ। ସେପଟେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ କହିଛନ୍ତି, ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କାହାକୁ ଛଡ଼ାଯିବ ନାହିଁ। ତେବେ ଏତଲାରେ ପାର୍ଥ ପାୱାରଙ୍କ ନାଁ ନାହିଁ ବୋଲି କୁହାଯିବାରୁ ଚିଡ଼ି ଯାଇଥିଲେ ଦେବେନ୍ଦ୍ର ଫଡନଭିସ। ପୁଣେର ଏହି ୪୦ ଏକର ଜମିର ମାର୍କେଟ ରେଟ୍ ହେଉଛି ୧୮୦୦ କୋଟି ଟଙ୍କା। ସେହି ଜମିରେ ଏକ ଡାଟା ସେଣ୍ଟର ନିର୍ମାଣର ଯୋଜନା ହୋଇଥିବା କୁହାଯାଉଛି। ସେହି ଜମିକୁ ୩୦୦ ଟଙ୍କାରେ କିଣିଥିଲା ପାର୍ଥ ପାୱାରଙ୍କ କମ୍ପାନି। ବର୍ତ୍ତମାନ ଏହା ପାର୍ଥ ଓ ତାଙ୍କ ବାପା ଅଜିତଙ୍କ ଗଳାର କଣ୍ଟା ପାଲଟିଛି।

