ଆକ୍ସନମୁଡରେ ସିଏମ ସିନ୍ଦେ, ସମର୍ଥକ ବିଧାୟକଙ୍କ ନାଚରେ ନାଖୁସ୍..

1 min read

ମୁମ୍ବାଇ: ସିନ୍ଦେ ମୁଖ୍ୟମନ୍ତ୍ରୀ ହେବା ଖବର ଶୁଣି ନାଚିଥିଲେ ବିଦ୍ରୋହୀ ବିଧାୟକ  । ହୋଟେଲରେ ଗୀତ ବଡାଇ ନୃତ୍ୟ କରିଥିଲେ  । ମୋବାଇଲରୁ ମୋବାଇଲ ଘୁରି ବୁଲିଥିଲା ଭିଡ଼ିଓ  । ଯାହାକୁ ନେଇ ସନ୍ତୁଷ୍ଟ ନାହାଁନ୍ତି ଏକନାଥ ସିନ୍ଦେ  ।  ଶପଥ ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏକନାଥ ସାମ୍ବାଜୀ ସିନ୍ଦେ । ସେପଟେ ପଦବୀକୁ ଆସୁ ଆସୁ ଆକ୍ସନ ମୁଡରେ ବିଦ୍ରୋହୀ ଶିବସେନାର ମୁଖ୍ୟ ନେତା  । ସପ୍ତାହରୁ ଅଧିକ ସମୟ ଧରି ରାଜ୍ୟ ବାହାରେ ପାଖିପାଖି ୪୦ରୁ ଅଧିକ ବିଧାୟକଙ୍କୁ ଧରି ରହିଥିଲେ ସିନ୍ଦେ  । ହଠାତ ଗୁରୁବାର ମୁମ୍ବାଇରେ ପହଁଚନ୍ତି  । ଏହାର କିଛ ସମୟ ପରେ ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡ଼ନାବିସଙ୍କ ସହ ମିଳିତ ପ୍ରେସମିଟ କରନ୍ତି  । କିନ୍ତୁ ଫଡନାବିସ ତାଙ୍କ ପ୍ରେସମିଟରେ ଘୋଷଣା କରନ୍ତି ଯେ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ଏକନାଥ ସିନ୍ଦେ  । ବିଜେପି କରିବ ସମର୍ଥନ  ।

ସିନ୍ଦେ ସମର୍ଥକ ବିଧାୟକଙ୍କ ନୃତ୍ୟ-ଗୀତ ଭିଡିଓ ଭାଇରାଲ ହୋଇଥିଲା  ।   ଖବରରେ ଖୁସି ହୋଇଯାଇଥିଲେ ଗୋଆରେ ଥିବା ବିଦ୍ରୋହୀ ବିଧାୟକ  । ହୋଟେଲ ମଧ୍ୟରେ ନାଚି ଉଠିଥିଲେ  । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ  । ଖୋଦ ନିଜ ସାଥି ସମର୍ଥକ ଏହାକୁ ନେଇ ନାଚ ଗୀତରେ ମସଗୁଲ ଥିବାରୁ ଏହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି  । ମହାରାଷ୍ଟ୍ରର ବିକାଶ ଏବଂ ସ୍ୱର୍ଗତ ବାଲା ସାହେବ ଠାକରେଙ୍କ ସ୍ୱପ୍ନକୁ ପୂରଣ କରିବା ପାଇଁ ଏକମାତ୍ର ଉଦ୍ଦେଶ୍ୟ ବୋଲି କହିଥିଲେ ଏକନାଥ । ବିଧାୟକ ମାନଙ୍କ ଦାୟିତ୍ୱ ନୃତ୍ୟ-ଗୀତରେ ମଜଲିସ କରିବା ନୁହେଁ ବଂର ମହାରାଷ୍ଟ୍ରର ବିକାଶ ପ୍ରସଙ୍ଗ ଆଲୋଚନା କରିବା  । ତେଣୁ ବିଧାୟକ ମାନେ ଯାହା କରିଛନ୍ତି, ତାହା ଭୁଲ ବୋଲି ଖୋଦ ନିଜେ ସ୍ୱୀକାର କରିଛନ୍ତି ଏକନାଥ  ।

ବିଜେପି ଏବଂ ବିଦ୍ରୋହୀ ଶିବସେନା ସହ ମିଶି ମହାରାଷ୍ଟ୍ରରେ ଗଠନ ହୋଇଛି ସରକାର  । ଦେବେନ୍ଦ୍ର ଫଡନାବିସ ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାର ସ୍ପଷ୍ଟ ହୋଇଯାଇଥିଲା  । କାରଣ ବିଜେପି ପାଖରେ ସର୍ବାଧିକ ବିଧାୟକ ରହିଥିଲା  । ତେଣୁ ୧୦୬ ବିଧାୟକ ଥିବା ବିଜେପି ହିଁ ମୁଖ୍ୟମନ୍ତ୍ରୀ ପଦ ନେବା ସ୍ପଷ୍ଟ ହୋଇଥିଲା  । କିନ୍ତୁ ଫଡନାବିସଙ୍କ ପ୍ରେସମିଟରେ ସବୁକିଛି ହଠାତ ଓଲଟପାଲଟ ହୋଇଯାଇଥିଲା  । ଖୋଦ ବିଜେପି ବିଧାୟକ ଦଳ ନେତା ଦେବେନ୍ଦ୍ର ଫଡନାବିସ ଘଷଣା କରିଥିଲେ ଯେ, ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ ଏକନାଥ ସିନ୍ଦେ  । ଏବଂ ସେ ସରକାରରେ କୌଣସି ପଦବୀରେ ମଧ୍ୟ ରହିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ  । କିନ୍ତୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବୟାନ ପରେ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ମନ ବଳାଇଥିଲେ ଫଡନାବିସ୍  ।