ମହାରାଷ୍ଟ୍ର ମହାୟୁତିରେ ଦ୍ବିତୀୟ ପର୍ଯ୍ୟାୟ ସସପେନ୍ସ; ମନ୍ତ୍ରିମଣ୍ଡଳ ନେଇ ଦିଲ୍ଲୀରେ ଅଙ୍କକଷା

ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ର ମହାୟୁତିରେ ପ୍ରଥମ ପର୍ଯ୍ୟାୟ ସସପେନ୍ସ ଓଭର। ଏବେ ଦ୍ବିତୀୟ ପର୍ଯ୍ୟାୟ ସସପେନ୍ସ । ଅର୍ଥାତ ମନ୍ତ୍ରିମଣ୍ଡଳ ଗଠନ ନେଇ ସସପେନ୍ସ। ମନ୍ତ୍ରିମଣ୍ଡଳ ନେଇ ଦିଲ୍ଲୀରେ ଅଙ୍କକଷା ଚାଲିଛି। ଏନସିପି ନେତା ପ୍ରଫୁଲ୍ଲ ପଟେଲ ସହ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ କରିଛନ୍ତି ଆଲୋଚନା। ଏହି ଭେଟଘାଟରେ ଉପସ୍ଥିତ ନଥିଲେ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ଗତକାଲି ରାତିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ସଡକ ପରିବହନ ମନ୍ତ୍ରୀ ନୀତୀନ ଗଡକରୀଙ୍କୁ ଭେଟିଥିଲେ ଫଡଣବିସ। ତେବେ ସେହି ଭେଟଘାଟରେ ଉପସ୍ଥିତ ନଥିଲେ ଏକନାଥ ସିନ୍ଦେ। ପ୍ରଥମ ପର୍ଯ୍ୟାୟରେ ସାଲିସ କରିବାକୁ ବାଧ୍ୟ ହୋଇଥିଲେ ସିନ୍ଦେ। ପାଇଥିଲେ ଉପମୁଖ୍ୟମନ୍ତ୍ରୀ ପଦ। ଅଜିତ ପାୱାର ବି ହୋଇଥିଲେ ଡେପୁଟୀ।

ହେଲେ ବର୍ତ୍ତମାନ ବିଜେପି, ଶିବସେନା ଓ ଏନସିପି ମଧ୍ୟରେ ମନ୍ତ୍ରୀ ପଦ ବଣ୍ଟନକୁ ନେଇ ବଢିଛି ସସପେନ୍ସ। ଦୁଇ ସହଯୋଗୀ ଦଳ ବିଜେପି ନିକଟରେ ମନ୍ତ୍ରୀ ପଦ ବାର୍ଗେନ କରିଥିଲେ। ଗୃହମନ୍ତ୍ରୀ ପଦ ଲାଗି ସିନ୍ଦେ ଆଶାୟୀ ଅଛନ୍ତି। ତେବେ ଏହି ପଦ ମିଳିବା ସମ୍ଭବ ହୋଇ ନପାରେ। କାରଣ ଫଡଣବିସ ମୁଖ୍ୟମନ୍ତ୍ରୀ ଥିବାବେଳେ ଗୃହମନ୍ତ୍ରୀ ପଦ ସେ ସମ୍ଭାଳିଥିଲେ। ଶିବସେନାକୁ ନଗର ଉନ୍ନୟନ, ପୂର୍ତ୍ତ ଓ ରାଜସ୍ୱ ବିଭାଗ ମିଳିବା ସମ୍ଭାବନା ରହିଛି। ଏନସିପି ଅର୍ଥ ବିଭାଗ ମାଗୁଥିବାବେଳେ ଏହା ବି ବିଜେପି ଲାଗି କଷ୍ଟକର ହୋଇପାରେ। ତେବେ ଅର୍ଥ ବିଭାଗ ଉପରେ ଶିବସେନାର ଆଖି ଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହେବା ଆଶଙ୍କା ରହିଛି। ଗତ ମାସରେ ହୋଇଥିବା ବୁଝାମଣା ଅନୁସାରେ ବିଜେପିକୁ ୨୨, ଶିବସେନାକୁ ୧୨ ଓ ଏନସିପିକୁ ୯ ମନ୍ତ୍ରୀ ପଦ ମିଳିପାରେ। ଆସନ୍ତା ୧୬ରୁ ୨୧ ଯାଏ ବସିବ ବିଧାନସଭାର ଶୀତକାଳୀନ ଅଧିବେଶନ। ତା ପୂର୍ବରୁ ମନ୍ତ୍ରୀ ପଦ ବଣ୍ଟନ ସରିବା ଆଶା କରାଯାଉଛି।

ନଜର ପକାନ୍ତୁ