ଗୋଟିଏ ଆମ୍ବୁଲାନ୍ସରେ ୨୨ କରୋନା ରୋଗୀଙ୍କ ଶବ

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ବେଲଗାମ ହୋଇସାରିଛି ଏବଂ ପ୍ରତିଦିନ ମୃତ୍ୟୁ ନୂଆ ରେକର୍ଡ଼ କରୁଛି । ପରିସ୍ଥିତି ଏଭଳି ଶୋଚନୀୟ ହୋଇଯାଇଛିଯେ, ଶବକୁ ନେବାପାଇଁ ରହିଥିବା ଆମ୍ବୁଲାନ୍ସ ମଧ୍ୟ ଯଥେଷ୍ଟ ନୁହେଁ । ଗୋଟିଏ ଆମ୍ବୁଲାନ୍ସରେ ପ୍ରାୟ ଦୁଇ ଡର୍ଜନ ଶବକୁ ଲଦି ଶ୍ମଶାନ ପହଞ୍ଚା ଯାଉଛି । ନିକଟରେ ମହାରାଷ୍ଟ୍ରରେ ଏହିଭଳି ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି ।

ମହାରାଷ୍ଟ୍ରର ବିଡ୍ଜିଲ୍ଲାର ଅମ୍ବାଜୋଗାଇରେ ସ୍ୱାମୀ ରାମାନନ୍ଦ ତୀର୍ଥ ହସ୍ପିଟାଲରେ କରୋନାରେ ମୃତ୍ୟୁବରଣ କରିଥିବା ୨୨ଟି ମୃତ ଶରୀରକୁ ରବିବାର ଗୋଟିଏ ଆମ୍ବୁଲାନ୍ସରେ ଲଦି ଶ୍ମଶାନରେ ପହଞ୍ଚାଯାଇଛି । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା ହେଉଛି ଆମ୍ବୁଲାନ୍ସ ଅଭାବରୁ ଏଭଳି ପଦକ୍ଷେପ ନିଆଯାଇଛି । ତେବେ ଏହି ଅମାନବୀୟ ଘଟଣା ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି ।

 

ସୂଚନାଯୋଗ୍ୟ ବିଡ୍ଜିଲ୍ଲାରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଫଳସ୍ୱରୂପ ଅମ୍ବଜୋଗାଇ ଅଞ୍ଚଳର ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଏହି କାରଣରୁ ଏଠାରେ ଥିବା ସ୍ୱାମୀ ରାମାନନ୍ଦ ତୀର୍ଥ ହସ୍ପିଟାଲରେ ଅଧିକ ଚାପ ପଡ଼ୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏଠାକାର ରୋଗୀଙ୍କୁ ବାଦ୍ଦେଲେ ଆଖପାଖ ଅଞ୍ଚଳର ରୋଗୀଙ୍କୁ ମଧ୍ୟ ସ୍ୱାମୀ ରାମାନନ୍ଦ ତୀର୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଉଥିବାରୁ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ତେବେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।

 

୨୫ ଅପ୍ରେଲରେ ଗୋଟିଏ ଆମ୍ବୁଲାନ୍ସରେ ୨୨ ରୋଗୀଙ୍କୁ ଲଦି ଅନ୍ତିମ ସଂସ୍କାର ପାଇଁ ଯେଉଁଭଳି ନିଆଯାଉଥିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଲୋକଙ୍କ ମନରେ ପ୍ରଶାସନକୁ ନେଇ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।

 

 

ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅନୁସାରେ, ହସ୍ପିଟାଲରେ କେବଳ ଦୁଇଟି ଆମ୍ବୁଲାନ୍ସ ରହିଛି । ମହାମାରୀକୁ ନଜରରେ ରଖି ଆଉ ପାଞ୍ଚୋଟି ଆମ୍ବୁଲାନ୍ସ ଯୋଗାଇ ଦେବାକୁ ଦାବି ହୋଇଛି । ଯଦିଓ ୧୭ ମାର୍ଚ୍ଚ ୨୦୨୧ରେ ଅତିରିକ୍ତ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ସୂଚନା ଦିଆଯାଇଥିଲା, ତଥାପି ଏପର୍ଯ୍ୟନ୍ତ ଏହାର କୌଣସି ସ୍ଥାୟୀ ସମାଧାନ ହୋଇପାରିନାହିଁ । ଆମ୍ବୁଲାନ୍ସ ଅଭାବରୁ ଲୋକଙ୍କୁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ।

Leave a Reply