ଆଜିଠୁ ମହାରାଷ୍ଟ୍ର ବିଧାନସଭାର ସ୍ବତନ୍ତ୍ର ଅଧିବେଶନ, ହୋଇପାରେ ବାଚସ୍ପତି ନିର୍ବାଚନ

ମୁମ୍ବାଇ: ଆଜିଠାରୁ ଆରମ୍ଭ ହେଉଛି ମହାରାଷ୍ଟ୍ର ବିଧାନସଭାର ଦୁଇ ଦିନିଆ ସ୍ବତନ୍ତ୍ର ଅଧିବେଶନ । ସୋମବାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ । ଗତକାଲି ସିନ୍ଦେ ଗୋଆ ଯାଇ ସେଠାରେ ଥିବା ଅନ୍ୟ ବିଧାୟକଙ୍କୁ ମୁମ୍ବାଇ ନେଇ ଆସିଥିଲେ । ସେପଟେ ଆଜି ବିଧାନସଭାରେ ହୋଇପାରେ ବାଚସ୍ପତି ନିର୍ବାଚନ । ମହାବିକାଶ ଅଘାଡି ପକ୍ଷରୁ ଶିବସେନା ବିଧାୟକ ରାଜନ ସାଲଭୀ ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ ପ୍ରଥମ ଥର ବିଧାୟକ ହୋଇଥିବା ରାହୁଲ ନରଭେକରଙ୍କୁ ବିଜେପି ବାଚସ୍ପତି ପ୍ରାର୍ଥୀ କରିଛି ।

ସେପଟେ ସିନ୍ଦେଙ୍କ ସମେତ ୧୫ ଶିବସେନା ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ଦାବିରେ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି । ଅଯୋଗ୍ୟ ଆବେଦନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି ସିନ୍ଦେ କ୍ୟାମ୍ପ । ପ୍ରକୃତ ଶିବସେନା କିଏ, ସେ ନେଇ ବି ବିବାଦ ରହିଛି । ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ନିଜକୁ ହିଁ ପ୍ରକୃତ ଶିବସେନା ଭାବେ ଦାବି କରିଛି । ଶିବସେନା ଉପରେ କର୍ତ୍ତୃତ୍ବ ଜାହିର ପାଇଁ ସିନ୍ଦେ ଓ ଉଦ୍ଧବ ଗୋଷ୍ଠୀ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଯାଇଛି ।

ଅନ୍ୟପକ୍ଷରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଶିବସେନାରୁ ବହିଷ୍କୃତ କରିଛନ୍ତି ଉଦ୍ଧବ ଠାକରେ । ଦଳ ବିରୋଧୀ କାର୍ଯ୍ୟକଳାପରେ ସଂପୃକ୍ତି ଯୋଗୁଁ ତାଙ୍କୁ ବହିଷ୍କାର କରାଯାଇଛି ବୋଲି ଉଦ୍ଧବ ଠାକରେ ଚିଠି ଲେଖି ଜଣାଇଛନ୍ତି । ଶିବସେନାର ମୁଖ୍ୟ ଭାବେ ସେ ସିନ୍ଦେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବୋଲି କହିଛନ୍ତି ଉଦ୍ଧବ । ତେଣେ ଉଦ୍ଧବ ଅନୁଗତ ସଂଜୟ ରାଉତ ଦାବି କରିଛନ୍ତି ଯେ, ତାଙ୍କୁ ମଧ୍ୟ ବିଦ୍ରୋହୀ ଗୋଷ୍ଠୀରେ ଯୋଗ ଦେବାକୁ ପ୍ରସ୍ତାବ ଆସିଥିଲା । କିନ୍ତୁ ସେ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ ।