ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭୩କୁ ବୃଦ୍ଧି, କେରଳରୁ ୪ ଓ ତାମିଲନାଡ଼ୁରୁ ଜଣେ ସଂକ୍ରମିତ ଚିହ୍ନଟ

Maharashtra And Kerala Each Reports 4 New Omicron Cases

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ମହାରାଷ୍ଟ୍ର ଓ କେରଳରୁ ବୁଧବାର ଆଉ ୪ ଜଣ ଲେଖାଏ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ତାମିଲନାଡ଼ୁରୁ ଆସିଛି ଓମିକ୍ରନର ପ୍ରଥମ ମାମଲା । ଏଥିସହ ଦେଶରେ ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା ୭୩କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରୁ ସର୍ବାଧିକ ୩୨ ଜଣ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟରୋଲୋଜିର ରିପୋର୍ଟ ଅନୁସାରେ, ମହାରାଷ୍ଟ୍ରରୁ ଚିହ୍ନଟ ନୂଆ ୪ ସଂକ୍ରମିତଙ୍କ ମଧ୍ୟରୁ ୨ ଜଣ ଉସ୍ମାନାବାଦ, ଜଣେ ମୁମ୍ବାଇ ଓ ଅନ୍ୟ ଜଣେ ବୁଲଢାଣାର । ଆକ୍ରାନ୍ତଙ୍କ ମଧ୍ୟରୁ ୩ଙ୍କୁ କୋଭିଡ୍ ଟିକା ଦିଆଯାଇଛି । ସଂକ୍ରମିତଙ୍କ ମଧ୍ୟରେ ଜଣେ ମହିଳାଙ୍କ ସହ ୧୬ ଓ ୬୭ ମଧ୍ୟରେ ତିନି ଜଣ ପୁରୁଷ ଅଛନ୍ତି । କାହାରି ଠାରେ ମଧ୍ୟ କରୋନାର ଲକ୍ଷଣ ନାହିଁ ।

ସର୍ବ ପ୍ରଥମେ ଦକ୍ଷିଣ ଆଫ୍ରିକାରେ କରୋନାର ଓମିକ୍ରନ୍ ଭାରିଆଣ୍ଟ ମିଳିଥିଲା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ, ଏଯାବତ୍ ଦୁନିଆର ୭୭ଟି ଦେଶର ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନାର ଏହି ଭାରିଆଣ୍ଟ ଆଲ୍ଫା, ବିଟା, ଗାମା, ଡେଲଟା ଓ ଡେଲଟା ପ୍ଲସ ଠାରୁ ଅଧିକ ଶୀଘ୍ର ବ୍ୟାପୁଛି । ଏଥିପାଇଁ ଓମିକ୍ରନକୁ ନେଇ ଦୁନିଆର ଚିନ୍ତା ବଢ଼ି ଯାଇଛି ।

Leave a Reply